ମଦ ସରିଯାଇଛି କହିଲା ସ୍ତ୍ରୀ, ଛୁରୀ ଭୁସିଦେଲା ସ୍ୱାମୀ
ରାତିରେ ସାଙ୍ଗ ସହ ମଦ ପିଇବାକୁ ହୋଇଥିଲା ଯୋଜନା । କିନ୍ତୁ ମଦ ମାଗିବାରୁ ସ୍ତ୍ରୀ ମନା କରିଦେଇଥିଲେ । ମଦ ସରିଯାଇଛି ବୋଲି କହିଥିଲେ । ବାସ୍ ଏତିକିରେ ରାଗି ଲାଲ୍ ହୋଇଗଲା ସ୍ୱାମୀ । ଯୋଜନା ଭଣ୍ଡୁର ହେବାରୁ ପତ୍ନୀକୁ ଛୁରୀ ଭୁସି ମାରିଦେଲା । ଏଭଳି ହତ୍ୟାକାଣ୍ଡ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟି ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡାରେ । ମୃତା ହେଲେ ବନ୍ଧଗୁଡ଼ାର ବୁଦାଇ ଧାଙ୍ଗଡ଼ାମାଝି (୩୭) । ଅଭିଯୁକ୍ତ ସ୍ୱାମୀ ଧମ୍ପା ଧାଁଗଡାମାଝୀକୁ ଅଟକ ରଖିଛି ପୁଲିସ ।
ସୂଚନା ଅନୁଯାୟୀ, ଗତ ଗୁରୁବାର ଜଙ୍ଗଲରୁ କରଡି ସଂଗ୍ରହ କରିଥିଲେ ବୁଦାଇ । ରାତିରେ ତରକାରୀ କରି ପଡିଶାଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିଲେ । ଏତିକିବେଳେ ଧମ୍ପାଙ୍କ ଜଣେ ସାଙ୍ଗ ଘରକୁ ଆସିଥିଲେ । ରାତିରେ ସାଙ୍ଗଙ୍କ ସହ ଖାଇଥିଲା ଧମ୍ପା । ଖାଇବା ପରେ ମଦ ଦେବାକୁ ସ୍ତ୍ରୀକୁ କହିଥିଲା । ସକାଳେ ସରି ଯାଇଥିବାରୁ ଘରେ ମଦ ନାହିଁ ବୋଲି କହିଥିଲେ ବୁଦାଇ । ଏହା ଶୁଣି ରାଗିଯାଇଥିଲା ଧମ୍ପା । ଏକ ଛୁରୀରେ ବୁଦାଇଙ୍କୁ ଭୁସି ଦେଇଥିଲା । କିଛି ଭାବିବା ଆଗରୁ ବୁଦାଇଙ୍କ ଜୀବନ ଚାଲିଯାଇଥିଲା । ସାମାନ୍ୟ ମଦ ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ । ଏବେ ପୁଲିସ ସ୍ୱାମୀକୁ ଗିରଫ କରିଛି ।
Powered by Froala Editor