୨୦୦୦ରୁ ଅଧିକ ଲୋକଙ୍କୁ ନକଲି ଟିକା ଦିଆଯାଇଛି

ସଂକ୍ରମଣ ଭୟ । ଗୋଟିଏ ଭରସା ଭ୍ୟାକସିନ୍ । ସରକାର କରୋନା ବିରୋଧରେ ଲଢେଇ କରୁଥିବାବେଳେ ନକଲି ଟିକାକରଣ କରି ଲାଭବାନ ହେଉଛନ୍ତି କିଛି ଦୁର୍ବୃତ୍ତ । ଏଭଳି ତଥ୍ୟ ସାମନାକୁ ଆସିଛି ମୁମ୍ବାଇ କାନ୍ଦିବଲି ହୀରାନନ୍ଦାନିରୁ । ନକଲି ଟିକାକରଣ ମାମଲାରେ ପୂର୍ବରୁ ୬ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୨୦୦୦ରୁ ଅଧିକ ଲୋକଙ୍କୁ ନକଲି ଟିକା ଦିଆଯାଇଥିବା ମହାରାଷ୍ଟ୍ର ସରକାର ସ୍ୱୀକାର କରିଛନ୍ତି ।
ମହାରାଷ୍ଟ୍ର ସରକାରଙ୍କ ଅନୁସାରେ, ମେ ୨୫ ରେ ୩୦ ଜଣ ଲୋକଙ୍କୁ ମଲାଡରେ ନକଲି ଟିକା ଦିଆଯାଇଥିଲା। ପରବର୍ତ୍ତୀ ଦୁଇ ଦିନରେ ଥାନେରେ ୧୨୨ ଜଣ ଏବଂ ପରେ ବୋରିଭଲିରେ ୫୧୫ ଜଣ ନକଲି ଟିକା ନେଇଛନ୍ତି । ତେବେ ଏ ପ୍ରସଙ୍ଗରେ ବିଏମସିର ଓକିଲ ଅନିଲ ସାଖରେ କହିଛନ୍ତି, ଯେଉଁ ଦିନ ଲୋକଙ୍କୁ ନକଲି ଟିକା ଦିଆଯାଉଥିଲା, ତା'ର କିଛି ଦିନ ପରେ ତିନୋଟି ଭିନ୍ନ ଭିନ୍ନ ଡାକ୍ତରଖାନା ନାମରେ ଟିକା ନେଇଥିବା ଲୋକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପୁଲିସ ଏପର୍ଯ୍ୟନ୍ତ ୪୦୦ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିଛି ଏବଂ ଏ ପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ସହରରେ ଏ ପର୍ଯ୍ୟନ୍ତ ଅତି କମରେ ନଅଟି ନକଲି ଶିବିରର ଆୟୋଜନ କରାଯାଇଛି ଏବଂ ଏହି ସଂପର୍କରେ ଚାରୋଟି ପୃଥକ ମାମଲା ରୁଜୁ ହୋଇଛି ।
Powered by Froala Editor