ଇସ୍ତଫା ଦେବାକୁ ଚାହୁଁଛନ୍ତି ଫଡନାବୀସ୍
ଲୋକସଭା ନିର୍ବାଚନର ଫଳାଫଳ ବାହାରିିଥିବା ବେଳେ ମହାରାଷ୍ଟ୍ରରେ ବିଜେପି ଖରାପ ପ୍ରଦର୍ଶନ କରିଛି। ଫଳାଫଳ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି ଦେବେନ୍ଦ୍ର ଫଡନାବୀସ୍। ୨୦୧୪ରୁ ୨୦୧୯ ଯାଏ ଶୀର୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ବିଜେପି ନେତା ସରକାରୀ ଦାୟିତ୍ୱରୁ ମୁକ୍ତ କରିବାକୁ ଶୀର୍ଷ ନେତୃବନ୍ଦଙ୍କୁ ଅନୁରୋଧ କରିଛନ୍ତି। ତାଙ୍କୁ ଦଳ ପାଇଁ ବାହାରୁ କାମ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି।
ସେ ଏକ ବିବୃତି ଜାରି କରି କହିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପି ଯେଉଁ ପରାଜୟର ସମ୍ମୁଖୀନ ହୋଇଛି ସେଥିପାଇଁ ମୁଁ ସମ୍ପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରୁଛି। କାରଣ ମୁଁ ଦଳର ନେତୃତ୍ୱ ନେଉଥିଲି। ବିଧାନସଭା ନିର୍ବାଚନ ପାଇଁ ମୁଁ ରାଜ୍ୟର ଭାରତୀୟ ଜନତା ପାର୍ଟିକୁ ପୂର୍ଣ୍ଣ ସମୟ ଦେବାକୁ ଚାହୁଁଛି। ମୋତେ ସରକାରଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ ମୁଁ ବିଜେପି ହାଇକମାଣ୍ଡକୁ ଅନୁରୋଧ କରୁଛି ଯାହା ଦ୍ବାରା ମୁଁ ଆଗାମୀ ନିର୍ବାଚନରେ ଦଳ ପାଇଁ କଠିନ ପରିଶ୍ରମ କରିପାରିବି।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି କେବଳ ୯ଟି ଲୋକସଭା ଆସନ ଜିତିପାରିଛି। ଯେତେବେଳେ କି ଏହାର ସହଯୋଗୀ ଭାଗିଦାରୀ ଶିବସେନା (ଏକନାଥ ସିନ୍ଦେ) ଏବଂ ଏନସିପି (ଅଜିତ ପାୱାର) ଯଥାକ୍ରମେ ୭ଏବଂ ୧ ସିଟ୍ ଜିତିପାରିଛନ୍ତି। ୨୦୧୯ରେ ତାଙ୍କ ଦଳ ମହାରାଷ୍ଟ୍ରର ୪୮ ଆସନରୁ ୨୩ରେ ଜିତିଥିଲା। ହେଲେ ଚଳିତ ବର୍ଷ ଏହା ୯ରେ ସୀମିତ ରହିଛି। ୨୦୨୪ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫଡନାଭିସ୍ ଇସ୍ତଫା ଦେବାକୁ ଚାହୁଁଛନ୍ତି।
Powered by Froala Editor