ଘରେ ବସି ପାଠ ପଢ଼ୁଥିଲେ, ଛାତ୍ରଙ୍କ ବେକ କାଟିଦେଲେ ଦୁର୍ବୃତ୍ତ
ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଏକ ଚାଞ୍ଚଲ୍ୟକର ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଜଣେ ଅଜଣା ବ୍ୟକ୍ତିର ଛୁରାମାଡ଼ରେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଉକ୍ତ ଗାଁର ମନୋଜ ପାଲଟସିଂଙ୍କ ପୁଅ ଶୁଭମ ପାଲଟସିଂ। ସେ ନବମ ଶ୍ରେଣୀର ଛାତ୍ର। କିଏ ଓ କେଉଁ କାରଣରୁ ଛାତ୍ରଙ୍କୁ ହତ୍ୟାକଲା, ତାହା ଜଣାପଡ଼ି ନାହିଁ।
ଶୁଭମର ପରୀକ୍ଷା ଥିଲା। ତେଣୁ ସେ ସନ୍ଧ୍ୟା ବେଳେ ତଳ ମହଲାରେ ଥିବା ଏକ ଘରେ ଏକାକୀ ବସି ପାଠ ପଢ଼ୁଥିଲେ। ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଟ୍ୟୁସନ୍ କରୁଥିଲେ। ଶୁଭମ୍ଙ୍କ ମାଆ ରୋଷେଇ ଘରେ ରୋଷେଇ କରୁଥିଲେ। ଠିକ୍ ସେହି ସମୟରେ ଣେ ଅଜଣା ବ୍ୟକ୍ତି ଘର କବାଟ ବାଡ଼େଇଥିଲା।
ଶୁଭମ୍ କବାଟ ଖୋଲିବାରୁ ହଠାତ୍ ଦୁର୍ବୃତ୍ତ ଜଣଙ୍କ ଜବରଦସ୍ତ ଘରେ ପଶି ଏକ ଛୁରୀରେ ନାବାଳକର ପେଟ, ବେକ ଓ ଛାତିକୁ ଆକ୍ରମଣ କରିଥିଲା। ଚିତ୍କାର କରିବାରୁ ଘର ଲୋକ ଧାଇଁ ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରିବାର ଲୋକେ ନାବାଳକକୁ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି।
ତେବେ ହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରା ମାଡ଼ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।
Powered by Froala Editor