ଧାରା ୩୭୦ ଉଚ୍ଛେଦ ମାମଲା : ଶୁଣାଣି ଶେଷ, ରାୟ ସଂରକ୍ଷିତ
ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ମାମଲାର ବିଚାର କରି ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ୩୭୦ ଧାରା ହଟିବା ବିରୋଧରେ ହୋଇଥିବା ଆବେଦନର ବିଚାର କୋର୍ଟରେ ୧୬ ଦିନ ଧରି ଚାଲିଥିଲା । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତିକୁ ୧୬ ଦିନ ଧରି ଶୁଣାଣି କରି ଆଜି ଅର୍ଥାତ୍ ସେପ୍ଟେମ୍ବର ୫ ରେ ରାୟ ସଂରକ୍ଷିତ ରଖିଛନ୍ତି।
ଅଗଷ୍ଟ ୫, ୨୦୧୯ରେ ସଂସଦରେ ଧାରା ୩୭୦ ଅଧୀନରେ ଜମ୍ମୁ-କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା। ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତିକୁ ୨୦ଟି ପିଟିସନ ଜରିଆରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
ମୁଖ୍ୟ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସମେତ ବିଚାରପତି ଏସକେ କୋଲ, ସଞ୍ଜୀବ ଖାନା, ବି.ଆର. ଗବଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି କରିଥିଲେ । ୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧଓ୍ବନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ବିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ ଥିଲା ବୋଲି ଦର୍ଶାଇ ଥିଲେ ।
ମାମଲାର ବିଚାର କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଉଭୟ ପକ୍ଷଙ୍କୁ ଯଦି କିଛି କହିବାର ଥିବ ତେବେ ଲିଖିତ ଆକାରରେ ତିନିଦିନ ମଧ୍ୟରେ ଜଣାଇବାକୁ କୁହାଯାଇଛି ।
Powered by Froala Editor