ସାହାନାଇ ବଦଳରେ କାନ୍ଦରେ ଫାଟିଲା ଘର: ବିବାହ ଦିନ ଉଠିଲା କୋକେଇ
ସ୍ବପ୍ନ ଅଧାରେ ରହିଗଲା । ପଡିପାରିଲାନି ହାତଗଣ୍ଠି, ବାହାଘର ଦିନ ଚାଲିଗଲା ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ଥାନା ଯୁଗୀପାଲି ଗାଁରେ । ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଜୀବର୍ଦ୍ଦନ ଭୋଇ ସମ୍ବଲପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମେ’ ୨୫ ତାରିଖରେ ତାଙ୍କ ବାହାଘର ସ୍ଥିର ହୋଇଥିଲା। ସେଥିପାଇଁ ସେ ଗତ ୧୮ ତାରିଖରୁ ଘରକୁ ଚାଲି ଯାଇଥିଲେ। ନିଜ ବିବାହ ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ବେଶ୍ ଖୁସ୍ ଥିଲେ। ମାତ୍ର ସେ କଣ ଜାଣିଥିଲେ ଘରେ ତାଙ୍କୁ ଜଗି ବସିଛି ମୃତ୍ୟୁ । ଘରକୁ ଆସି ସେ କରୋନାରେ ଆକ୍ରାନ୍ତ ହେଲେ । କରୋନା ଆକ୍ରାନ୍ତ ହେବା ପରେ ସେ ସମ୍ବଲପୁର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାହାଘର ଦିନ ଅର୍ଥାତ୍ ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର । ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
Powered by Froala Editor