ସ୍କ୍ରାପ୍ରୁ ବାଇକ୍ ବନାଇଦେଲେ ଯୁବକ : ବସିବେ ୭ ଜଣ, ଯିବ ୨୦୦ କି.ମି

ଅସୁବିଧାରେ ପଡିଲେ ଯୋଗାଡ ଆପେ ଆପେ ମୁଣ୍ଡକୁ ଆସେ । ସେମିତି କିଛି ଯୋଗାଡ କରିଛନ୍ତି ଜଣେ ଯୁବକ । ଯାହାକୁ ବିଜନେସ୍ ଟାଇକୁନ୍ ଓ ଆରପିଜି ଏଣ୍ଟରପ୍ରାଇଜେସ୍ ଚେୟାରମ୍ୟାନ ହର୍ଷ ଗୋୟନକା ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ୭ ଜଣ ଯୁବକ ଏକ ୭ ସିଟର ବାଇକରେ ଯାଉଥିବା ଦେଖିବାକୁ ମିଳୁଛି । ଯାହା ଉପରେ ଏକ ସୋଲାର ପ୍ୟାନେଲ ଲାଗିଛି ।
ଭିଡିଓରେ ଏହାକୁ ତିଆରି କରିଥିବା ଯୁବକ ଜଣଙ୍କ ଏହାର ଗୁଣ ଓ କାମ କରିବାର ଦକ୍ଷତା ସମ୍ପର୍କରେ କହୁଥିବା ଶୁଣିବାକୁ ମିଳୁଛି । ଯୁବକ ଜଣକ କହୁଛନ୍ତି, ‘କବାଡରୁ ସେ ୭ ସିଟର ବାଇକ ବନାଇଛନ୍ତି । ଏହା ସୌରଶକ୍ତିରେ ଚାଲୁଛି ଓ ଏହା ଥରକେ ୨ ଶହ କିମି ପର୍ଯ୍ୟନ୍ତ ଚାଲି ପାରିବ । ଏହାକୁ ବନାଇବାକୁ ୧୦ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।’
ଭିଡିଓ ସେୟାର କରି ହର୍ଷ ଲେଖିଛନ୍ତି, ‘ଏହି ୭ ସିଟର ବାଇକର ଏକାଧିକ ଗୁଣ । ସ୍କ୍ରାପରେ ତିଆରି ହୋଇଛି । ସୌରଶକ୍ତିରେ ଚାଲୁଛି । କମ ଖର୍ଚ୍ଚରେ ତିଆରି ହୋଇଛି । ଏପରି ପ୍ରଡକ୍ଟ ଦେଖି ମୁଁ ଭାରତୀୟ ବୋଲି ଗର୍ବିତ ।’ ହର୍ଷ ଏହାକୁ ପୋଷ୍ଟ କରିବା ପରେ ରାତାରାତି ଭିଡିଓଟି ଭାଇରାଲ ହୋଇଯାଇଛି । ଏପ୍ରିଲ ୨୯ ତାରିଖରେ ସେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୯.୨K ଲୋକ ଦେଖି ସାରିଲେଣି ।
Powered by Froala Editor