ସେବିକା ପାଲଟିଲେ ଶବ ଦାହିକା : ଅଢ଼େଇ ବର୍ଷରେ ସତ୍କାର କଲେଣି ୫୦୦ ମୃତଦେହ

ସ୍ୱାର୍ଥପର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କର୍ତ୍ତବ୍ୟ ପାଇଁ ସବୁକିଛି ଛାଡି ଦିଅନ୍ତି । ଏମିତି ନିସ୍ୱାର୍ଥପରତାର ଉଦାହରଣ ସାଜିଛନ୍ତି ମଧୁସ୍ମିତା ପୃଷ୍ଟି ଓ ତାଙ୍କ ସ୍ୱାମୀ । ଶ୍ମଶାନରେ ମଧୁସ୍ମିତା ସ୍ୱାମୀଙ୍କ ସହ ମିଶି ଶବଦାହ କରୁଛନ୍ତି । ମଧୁସ୍ମିତା କୋଲକାତାର ଫର୍ଟିସ୍ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ପ୍ରାୟ ୯ ବର୍ଷ ସେବିକା ଭାବେ ରୋଗୀଙ୍କ ସେବା କରିବା ପରେ ଚାକିରି ଛାଡ଼ି ୨୦୧୯ରେ ଭୁବନେଶ୍ୱର ପଳାଇ ଆସିଥିଲେ ମଧୁସ୍ମିତା । ଆଉ ଏବେ ସ୍ୱାମୀଙ୍କ ସହ ମିଶି କୋଭିଡ୍ ମୃତଦେହ ସହ ଅଜଣା, ଅଚିହ୍ନା ଓ ପିରତ୍ୟକ୍ତ ଶବ ସତ୍କାର କରୁଛନ୍ତି ।
ବାସ୍ତବରେ, ମଧୁସ୍ମିତାଙ୍କ ସ୍ୱାମୀ ଏକ ଟ୍ରଷ୍ଟ ଚଳାନ୍ତି ଯେଉଁଥିରେ ସେ ଅଜଣା ମୃତଦେହର ଶେଷ ରୀତିନୀତି ଅନୁଯାୟୀ ଶବଦାହ କରନ୍ତି । ମଧୁସ୍ମିତା କହିଛନ୍ତି, “ମୁଁ ୯ ବର୍ଷ ଧରି ରୋଗୀମାନଙ୍କର ଯତ୍ନ ନେଉଥିଲି । ତେବେ ପରିତ୍ୟକ୍ତ ଶବଗୁଡିକର ଶେଷ ରୀତି ପାଳନ କରିବାରେ ସ୍ୱାମୀଙ୍କୁ ସାହାଯ୍ୟ କରିବା ପାଇଁ ୨୦୧୯ରୁ ଏଠାକୁ ଫେରିଆସିଛି ।' ଅଢେଇ ବର୍ଷ ମଧ୍ୟରେ ସେ ୫୦୦ ମୃତଦେହ ଏବଂ ଗତବର୍ଷ କୋଭିଡ ସମୟରେ ସେ ପାଖାପାଖି ୩୦୦ ମୃତଦେହ ସତ୍କାର କରିଛନ୍ତି । ଜଣେ ମହିଳା ଭାବରେ ମୋତେ ଏପରି କାମ କରିବାକୁ ସମାଲୋଚନା କରାଯାଇଥିଲା । କିନ୍ତୁ ମୁଁ ମୋ ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ଟ୍ରଷ୍ଟ ଅଧୀନରେ କାର୍ଯ୍ୟ ଜାରି ରଖିଛି । ଲୋକଙ୍କ ସମାଲୋଚନାକୁ ଖାତିର୍ ନକରି ସ୍ୱାମୀଙ୍କ ବିଶ୍ୱାସ ଓ ଭଲ ପାଇବାକୁ ପାଥେୟ କରି ସେ ଶବ ସତ୍କାର କରୁଥିବା କହିଛନ୍ତି ।
Powered by Froala Editor