କରୋନା ମୃତକଙ୍କ ଅନ୍ତ୍ୟେଷ୍ଟି କଲେ ତହସିଲଦାର ଓ ବିଡିଓ

ଚାନ୍ଦବାଲି : ସାମାଜିକ ସମ୍ପର୍କରେ ପ୍ରତିବନ୍ଧକ ସାଜିଛି କରୋନା । କରୋନାରେ କେହି ଜଣେ ମଲେ ତାହାର ଶବକୁ ଛୁଇଁବାକୁ କୁଣ୍ଠାବୋଧ କରୁଛନ୍ତି ଲୋକେ । ନଳଗୋହିରା ଅଞ୍ଚଳରେ ଜଣେ କରୋନା ମୃତକଙ୍କ ଶବକୁ କେହି ସାହିଭାଇ ଛୁଇଁଲେ ନାହିଁ କି ମୃତକଙ୍କ ଦୁଆର ମାଡ଼ିଲେ ନାହିଁ । ଘରେ କେହି ପୁରୁଷ ଲୋକ ନଥିବାରୁ ଶବ ସାରା ରାତି ପଡ଼ି ରହିଲା । ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର, ବିଡିଓ ଜ୍ୟୋତିବିକାଶ ଦାସ ଓ ବାଂଶଡା ଥାନା ଅଧିକାରୀ କରୁଣାକର ରାଉତ ନିଜେ ଶବ ସକ୍ରାର କରିଥିଲେ ।
ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ନଳଗୋହିରା ଗାଁରେ ଦୁଃଶାସନ ଖଟୁଆଙ୍କ ପୁତ୍ର ସୁବାସ ଖଟୁଆ (୫୩) କ୍ୟାନସର ପୀଡ଼ିତ ଥିଲେ । ପରେ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବାବେଳେ ଆଖି ବୁଜିଥିଲେ । ଏହି ଖବର ପାଇଥିଲେ ମଧ୍ୟ ଗାଁ ଲୋକ ତ ଦୂରର କଥା ସାହି ଭାଇ ବି ଦୁଆର ମାଡ଼ି ନଥିଲେ ଖବର ପାଇଁ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଓ ବିଡିଓ ଜ୍ୟୋତିବିକାଶ ଦାସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ । ନିଜ ହାତରୁ ଅର୍ଥ ଖର୍ଚ୍ଚ କରି କାଠ କିଣି ଗାଁ ମୁଣ୍ଡ କେନାଳ କୂଳକୁ ନେଇଥିଲେ । ଏପରିକି ନିଜେ ଜୁଇ ତିଆରି କରିବା ପରେ ପିପିଇ କିଟ ପିନ୍ଧି ସୁବାସଙ୍କ ମୃତଦେହକୁ କାନେ୍ଧଇ କାନେ୍ଧଇ ଗାଁରୁ ଜୁଇ ପର୍ଯ୍ୟନ୍ତ ୫୦୦ ମିଟର ନେଇ ଚାଲିଥିଲେ । ବିଡିଓ ଓ ତହସିଲଦାର ଶବ, କାନେ୍ଧଇ ଯାଉଥିବା ଦୃଶ୍ୟ ଦେଖୁଥିଲେ ମଧ୍ୟ ଗାଁର ଯୁବକମାନେ ଲୁଚି ଲୁଚି ଖସି ଯାଉଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା । କରୋନାକୁ ଖାତିର ନ କରି, ଏହି ଦୁଇ ଅଧିକାରୀ ମୃତ ଦେହ ସକ୍ରାର କରିବା ପରେ ମୃତକଙ୍କ ପରିବାରକୁ ଆଶ୍ୱାସନା ଦେଇ ଫେରିଥିଲେ । ଦିନ ତମାମ ସାରା ଜିଲ୍ଲାରେ ଏହି ଦୁଇ ଅଧିକାରୀଙ୍କ କାର୍ଯ୍ୟ ଚର୍ଚ୍ଚାରେ ରହିଛି ।
Powered by Froala Editor