ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଥିଲାବେଳେ ଉକ୍ତ ଲଘୁଚାପ ଆଜି ୱେଲମାର୍କଡରେ ପରିଣତ ହୋଇଥିଲା । ଏବେ ଏହା ଅବପାତର ରୂପ ନେଇଛି । ଏଥିସହ ବାତ୍ୟା ‘ୟଶ’ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଜଣାପଡ଼ିଛି ।
ବାତ୍ୟା ୟଶ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ୨୬ ତାରିଖ ସଂଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡ଼ି ନିଦେ୍ର୍ଧଶକ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି ।
ଡକ୍ଟର ମହାପାତ୍ର କହିଛନ୍ତିଯେ, ଏହା ଉପକୂଳ ଅତିକ୍ରମ କରିବା ବେଳେ ପବନ ୧୫୫ରୁ ୧୬୫ କିମି ବେଗରେ ପ୍ରବାହିତ ହେବ । ବେଳେବେଳେ ପବନର ବେଗ ୧୮୫ କିମି ବି ଛୁଇଁବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବରେ ୨୫ ସଂଧ୍ୟାରୁ ଉତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହେବ । ୨୬ରେ ଉତର ଓଡ଼ିଶା ଜିଲ୍ଲାଗୁଡିକରେ ଅଧିକ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି ।
୨୪ ସଂଧ୍ୟା ପରେ ୪୦ରୁ ୫୦ କିମି ବେଗରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବାହିତ ହେବାର ସମ୍ଭାବନା ଥିବାବେଳେ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ବହୁ ବୃଦ୍ଧି ପାଇବ ।
ବାତ୍ୟା ଦ୍ୱାରା ମୁଖ୍ୟତଃ ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଅବପାତ ରୂପ ନେବା ପରେ ଟ୍ରାକ ରେକର୍ଡ ସୃଷ୍ଟି ହେବ । ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦, ୨୫ ତାରିଖରୁ ୫୦ରୁ ୬୦ କିମି ବେଗରେ ପବନ ବୋହିବ । ୨୬ ତାରିଖରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । ଉତ୍ତର ଓଡ଼ିଶା ଉପକୂଳ, ପଶ୍ଚିମବଙ୍ଗ,ବାଲାଂଦେଶ ଦେଇ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ପ୍ରବଳ ବର୍ଷିବ । ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ । ତେବେ ବାତ୍ୟା ଦ୍ୱାରା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
Powered by Froala Editor