ବିଜେଡି ପ୍ରତିଷ୍ଠା ଦିବସରେ ଏହା କହିଲେ ନବୀନ
ଭୁବନେଶ୍ୱର: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ୨୫ ବର୍ଷ ପୂରଣ କରି ଦଳ ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏନେଇ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶ୍ରୀକ୍ଷେତ୍ରରୁ ଦଳୀୟ କର୍ମୀଙ୍କୁ ପ୍ରତିଷ୍ଠା ଦିବସରେ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆପଣମାନେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ ବୋଲି ସେ କର୍ମୀଙ୍କୁ କହିଛନ୍ତି ।
ସେ କହିଛନ୍ତି ଯେ, ଲୋକଙ୍କ ପାଇଁ ଭଲ କାମ କରନ୍ତୁ । ମା’ମାନଙ୍କ ପାଇଁ ଭଲ କାମ କରନ୍ତୁ । ଆଦିବାସୀ, ଦଳିତ ଓ ଚାଷୀଙ୍କ ପାଇଁ ଭଲ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ମା’ମାନେ ଚାହିଁଲେ ବିଜେଡି ୨୫ କି ୫୦ ବର୍ଷ ନୁହେଁ, ୧୦୦ ବର୍ଷ ରହିବ । ଯେଉଁମାନେ ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଛନ୍ତି ବିଜେଡିରେ ମିଶନ୍ତୁ । ସେ ପ୍ରଫେସନାଲ ହୁଅନ୍ତୁ ବା ସାହିତି୍ୟକ ବା କ୍ରୀଡ଼ାବିତ, ସମସ୍ତେ ଆସନ୍ତୁ । ଏ ଦଳ ଓଡ଼ିଶାର ଦଳ । ବିଜେଡି ଓଡ଼ିଶାବାସୀଙ୍କ ପାଇଁ କାମ କରୁଛି । ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ଓଡ଼ିଶା ନୁହେଁ । ମା’ ମାନେ ଆସନ୍ତୁ, ଓଡ଼ିଶାର ବିକାଶର ଦାୟିତ୍ୱ ନିଅନ୍ତୁ । ମା’ମାନେ ଚାହିଁଲେ ବିଜେଡି ୨୫ କି ୫୦ ବର୍ଷ ନୁହେଁ, ୧୦୦ ବର୍ଷ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଯେ ୨୫ ବର୍ଷର ଯାତ୍ରା । ସୋମବାର ବିଜେଡି ପାଳନ କରୁଛି ଦଳର ପ୍ରତିଷ୍ଠା ଦିବସର ରୌପ୍ୟ ଜୟନ୍ତୀ । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀର ତାଳବଣିଆ ପଡ଼ିଆରେ ବିରାଟ ଆୟୋଜନ । ଚଳିତ ବର୍ଷ ବର୍ଷେ ବ୍ୟାପୀ କାର୍ୟ୍ୟକ୍ରମ କରିବାକୁ ଦଳ ଯୋଜନା କରିଛି ।
୧୯୯୭ ଡିସେମ୍ବର ୨୬ ତାରିଖ । ଠିକ୍ ୨୫ ବର୍ଷ ତଳର କଥା । ସେଦିନ ‘ବିଜୁ ଜନତା ଦଳ’ ନାମରେ ଯେଉଁ ବିହନ ରୋପଣ ହୋଇଥିଲା, ତାହା ଆଜି ମହାଦ୍ରୁମ ରୂପ ନେଇଛି । ଓଡ଼ିଶା ନୁହେଁ, ସମଗ୍ର ଦେଶର ରାଜନୀତିରେ ଏଭଳି ଆଞ୍ଚଳିକ ଦଳ ନା କେବେ ଥିଲା ନା ଆଗକୁ ଆଉ କାହାର ସମ୍ଭାବନା ପରିଲକ୍ଷିତ ହେଉଛି । ୨୫ ବର୍ଷର ଯାତ୍ରାରୁ ସ୍ପଷ୍ଟ ବାର୍ତ୍ତା ମିଳେ-ନବୀନଙ୍କ ନେତୃତ୍ୱ ଆଉ ବିଜେଡିର ପ୍ରଦର୍ଶନ ଅପରାଜେୟ, ଅଦ୍ୱିତୀୟ, ଅମଳିନ ।
ନବୀନଙ୍କ ସରଳପଣିଆ, ସ୍ୱଚ୍ଛ ଭାବମୂର୍ତ୍ତି ଆଉ ନିର୍ବାଚନୀ ରଣନୀତି ଆଗରେ ବିରୋଧୀ ଆଜି ବି ଉପାୟଶୂନ୍ୟ । ବିଜେଡିର ବିଜୟ ଯାତ୍ରାର ହିସାବରେ ରାଜନୈତିକ ପଣ୍ଡିତ ସବୁବେଳେ ଚକିତ । ୨୫ ବର୍ଷର ଯାତ୍ରା ଭିତରେ ଲଗାତାର ୨୨ ବର୍ଷ ହେବ କ୍ଷମତାରେ ରହିଛି ବିଜେଡି । ଦୀର୍ଘ ବର୍ଷର କ୍ଷମତାସୀନ ସରକାର ବିରୋଧ ହାୱା ବହିବା ସ୍ୱାଭାବିକ । ମାତ୍ର ଓଡ଼ିଶାରେ ସବୁବେଳେ ସମ୍ପୂର୍ଣ୍ଣ ବ୍ୟତିକ୍ରମ । ଏଠି ଗୋଟିଏ ହାୱା ବହି ଚାଲିଛି, ଯାହାର ନାଁ ‘ନବୀନ’ । ନିର୍ବାଚନ ପରେ ନିର୍ବାଚନ ଜିତି ବଳ ବଢ଼ାଇ ଚାଲିଛି ବିଜେଡି । ଭୋଟ ପ୍ରତିଶତ ବଢ଼ୁଛି, ଭୋଟ ପରିମାଣ ବି । ଆଗାମୀ ନିର୍ବାଚନ ପାଇଁ ବିଜେଡିର ନୂଆ ମିଶନ- ଦେଢ଼ କୋଟି ଭୋଟ୍ ।
ଆରମ୍ଭରୁ ବିଜେଡିର ସ୍ଲୋଗାନ ଥିଲା- ବିଜୁ ଜନତା ଦଳ ଲୋକଙ୍କର ବଳ । ଏବେ ନାରା ବଦଳିଛି- ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନ । ବିଜେଡି ଯେ ଏକ ରାଜନୈତିକ ଦଳରୁ ଊଦ୍ଧ୍ୱର୍ ହୋଇ ରାଜନୈତିକ ଆନ୍ଦୋଳନ ରୂପ ନେଇଛି, ତାହା ପ୍ରମାଣିତ କରି ଚାଲିଛି ପ୍ରତି ନିର୍ବାଚନ । ନିର୍ବାଚନ ପରେ ନିର୍ବାଚନ ଜିତି ବିଜେଡି କେବଳ ନିଜ ରେକର୍ଡ ଭାଙ୍ଗୁଛି ଓ ନୂଆ ରେକର୍ଡ ଛିଡ଼ା କରୁଛି ।
ବିଜେଡିର ପ୍ରତିଟି ବିଜୟର ସବୁ ଶ୍ରେୟ ନବୀନଙ୍କୁ ହିଁ ଯାଉଛି । ଚଳିତବର୍ଷ ନବୀନ ମଧ୍ୟ ତାଙ୍କ ରାଜନୈତିକ ଯାତ୍ରାର ୨୫ ବର୍ଷ ପୂରଣ କରିଛନ୍ତି । ୧୯୯୭ ମସିହାରେ ବିଜୁବାବୁଙ୍କ ପରଲୋକ ପରେ ଆକସ୍ମିକ ଭାବରେ ଓଡ଼ିଶା ରାଜନୀତିରେ ନବୀନଙ୍କର ଆବିର୍ଭାବ ଘଟିଥିଲା । ସେଇଠୁ ହିଁ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଥିଲା ନବୀନ ଯୁଗ । ସେବେଠାରୁ ଆଜି ପର୍ୟ୍ୟନ୍ତ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଏବଂ ଜନପ୍ରିୟତା ରାଜ୍ୟବାସୀଙ୍କ ହୃଦୟରେ ସେମିତି ଚମକୁଛି, ଏଥିରେ ଦ୍ୱିମତ ନାହିଁ ।
Powered by Froala Editor