କମ୍ପାନି ଭିତରେ ୩ ଜଣଙ୍କୁ ନିର୍ମମ ହତ୍ୟା, ୨ ଓଡ଼ିଆ ଶ୍ରମିକ ଅଟକ

ବ୍ରହ୍ମପୁର: ସୁରଟ ଅଞ୍ଜନି ଶିଳ୍ପାଞ୍ଚଳ ନିକଟ ବେଦାନ୍ତ ଟେକ୍ସପୋ ଫ୍ୟାକ୍ଟ୍ରିରେ ସୂତାକଳ ମାଲିକ , ତାଙ୍କ ବାପା ଓ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି । କମ୍ପାନି ଭିତରେ ଅତି ନିର୍ମମ ଭାବେ ହତ୍ୟା ହୋଇଛି। ମୃତକ ସୂତାକଳ ମାଲିକ କଲପେଶ ଢୋଲକିଆ , ତାଙ୍କ ବାପା ଧନ୍ଜିଭାଇ ଏବଂ ସମ୍ପର୍କୀୟ ଘନଶ୍ୟାମ ରାଜୋଡିଆ ବୋଲି ସୁରଟ ଡେପୁଟି ପୁଲିସ କମିଶନର ହର୍ଷଦ ମେହଟା ସୂଚନା ଦେଇଛନ୍ତି ।
ହତ୍ୟା ଘଟଣାରେ ଦୁଇଜଣ ପ୍ରବାସୀ ଓଡ଼ିଆଙ୍କ ସଂପୃକ୍ତି ଥିବା ସୁରଟ ଆଗ୍ରୋଲି ପୁଲିସ ଅନୁମାନ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ପଚରାଉଚରା ଜାରି ରଖିଛି ପୁଲିସ। ଅଭିଯୁକ୍ତମାନେ ସଂପୃକ୍ତ ସୂତାକଳରେ କାମ କରୁଥିଲେ ଏବଂ କିଛି ଦିନ ପୂର୍ବରୁ ମାଲିକ ତାଙ୍କୁ କାମରୁ ବାହାର କରିଦେଇଥିଲେ । ଏହାପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ହତ୍ୟା କରିଥିବା ପୁଲିସ କହିଛି। ତେବେ ଏନେଇ ଠୋସ୍ ପ୍ରମାଣ ହସ୍ତଗତ ହୋଇନଥିବା ସ୍ପଷ୍ଟ କରିଛି ପୁଲିସ।
ରବିବାର ସକାଳେ ଦୁଇଜଣ ସନ୍ଦିଗ୍ଧ ଅଭିଯୁକ୍ତ ଫ୍ୟାକ୍ଟ୍ରିକୁ ଆସି ମାଲିକ କଲପେଶଙ୍କ ସହ ଝଗଡ଼ା କରିଥିଲେ। ସେ ପଛକୁ ବୁଲିବା କ୍ଷଣି ଏକ ଧାରୁଆ ଛୁରିରେ ଭୁସି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କ ବାପା ଧନ୍ଜିଭାଇ ଓ ସମ୍ପର୍କୀୟ ଘନଶ୍ୟାମ ଆସିବାରୁ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ହତ୍ୟା କରିଥିଲେ। ତୁରନ୍ତ ସମସ୍ତ ଗୁରୁତରଙ୍କୁ ନିକଟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor