ଶୁଣ୍ଢରେ ଟେକି କଚାଡିଲା ହାତୀ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ କଲଦା ଗ୍ରାମରେ ରବିବାର ଭୋର ଏକ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ରମେଶ ଚନ୍ଦ୍ର ସାହୁ।
ସୂଚନା ମୁତାବକ, ରବିବାର ସକାଳେ ରମେଶ ନିଜ ବାଇକରେ ପୋଖରୀକୁ ମାଛ ଦାନା ନେଇ ଯାଉଥିଲେ। ଏହି ସମୟରେ କଲଦା-ଆମ୍ବପଳାସ-ଟାସିରି ରାସ୍ତାରେ ଏକ ଗୋଠଛଡା ଦନ୍ତାହାତୀ ସାମ୍ନା ପଟୁ ଆସି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବା ସହ ଛାତିରେ ମଡ଼ା ପକାଇ ଦେଇଥିଲା। ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଓ ପରିବାର ଲୋକ ଗୁରୁତର ଭାବେ ତାଙ୍କୁ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବରପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Powered by Froala Editor