ପ୍ରଧାନମନ୍ତ୍ରୀଙ୍କ ମଧ୍ୟାହ୍ନଭୋଜନରେ ‘ମିଲେଟ୍ ଡିସ୍’
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି। ସଂସଦ ଭବନ ପରିସରରେ ଆଜି ଆୟୋଜିତ ହୋଇଥିବା ଭୋଜିରେ ସମସ୍ତଙ୍କୁ ମାଣ୍ଡିଆ ବା ମିଲେଟ୍ (ମୋଟା ଶସ୍ୟ)ରୁ ପ୍ରସ୍ତୁତ ବ୍ୟଞ୍ଜନ ଦିଆଯାଇଥିଲା। ଭାରତ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଲେଖିଛନ୍ତି, ଆମେ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରିବାକୁ ପ୍ରସ୍ତୁତ ହେଉଛୁ। ସଂସଦରେ ମଧ୍ୟାହ୍ନ ଭୋଜନ ପାଇଁ ଆମକୁ ମିଲେଟ ଡିସ ପରସା ଯାଇଥିଲା। ପାର୍ଟି ଲାଇନରୁ ଦୂରେଇ ସମସ୍ତ ରାଜନୈତିକ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭୋଜନ ସମୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ। କୃଷ ରାଷ୍ଟ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, ଆମେ ବାଜରା ଏବଂ ରାଗିରେ ତିଆରି ରୋଟି ଏବଂ ମିଠା ସହିତ ଖାଦ୍ୟ ପ୍ରସ୍ତୁତ କରିଥିଲୁ। ଯେଉଁଥିପାଇଁ କର୍ନାଟକରୁ ରୋଷେୟାମାନଙ୍କୁ ସ୍ବତନ୍ତ୍ର ଭାବେ ଅଣାଯାଇଥିଲା। ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ ଏଠାରେ ତାଙ୍କ ଭୋଜନକୁ ଉପଭୋଗ କରିଥିଲେ।
Powered by Froala Editor