ଜୈନଙ୍କ ସେବା କରିବାକୁ ଲାଗିଛନ୍ତି ୧୦ ଲୋକ : କିଏ ଚଟାଣ ପୋଛୁଛି, କିଏ ଚାଦର ବଦଳାଉଛି
ତିହାର ଜେଲରେ ବନ୍ଦୀ ଆମଆଦମୀ ପାର୍ଟି ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଲିକ୍ ହୋଇଛି। ଏଥିରେ ଜେଲରେ ଜୈନଙ୍କ ସେଲର କିପରି ରକ୍ଷଣାବେକ୍ଷଣା ହେଉଛି ତାହା ସ୍ପଷ୍ଟ ଦେଖାଯାଉଛି। ସତ୍ୟେନ୍ଦ୍ରଙ୍କ ସେଲ୍ ଭିତରେ ୧୦ କର୍ମଚାରୀ ତାଙ୍କ ସେବା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ବିଜେପି ଶେଆର କରି ପୁଣି ଥରେ ଆପ୍କୁ ଟାର୍ଗେଟ୍ କରିଛି।
କିଛି କର୍ମଚାରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ସେଲ୍ ଭିତରର ସଫ ସୁତୁରା କରୁଥିବା ଦେଖିବାକୁ ମିଳିଛି। ଦୁଇ ଜଣ ତଳେ ପୋଛା ମାରୁଥିବା ବେଳେ ଆଉ ଦୁଇ ଜଣ ସତ୍ୟେନ୍ଦ୍ରଙ୍କ ବେଡ୍ର ଚାଦର ବଦଳାଉଛନ୍ତି। କେବଳ ସେତିକି ନୁହେଁ ବ୍ୟାରକରେ ପଡିଥିବା କାର୍ପେଟ୍କୁ ବି ବଦଳାଯାଉଛି। ଏହି ଭିଡିଓଟି ତିନୋଟି ଭିନ୍ନ ଭିନ୍ନ ତାରିଖ ସେପ୍ଟେମ୍ବର ୧୨, ସେପ୍ଟେମ୍ବର ୧୫ ଓ ଅକ୍ଟୋବର ୧ ତାରିଖର ବୋଲି କୁହାଯାଉଛି।
ଏହା ପୂର୍ବ ଭିଡିଓରେ ଜୈନଙ୍କୁ ମାଲିସ୍ କରାଉଥିବା ଓ ଡ୍ରାଏ ଫ୍ରୁଟ ଖାଉଥିବାର ଦେଖାଯାଇଥିଲା। ଏହି ୧୦ ଜଣଙ୍କ ବ୍ୟତୀତ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଭିତରେ ସଜା କାଟୁଥିବା ରିଙ୍କୁ ଯାଦବ ସତ୍ୟେନ୍ଦ୍ରଙ୍କ ପ୍ରତିଦିନ ବଡି ମଜାସ କରୁଥିଲେ। ତେବେ ସତ୍ୟେନ୍ଦ୍ରଙ୍କ ସେବାରେ ଲାଗିଥିବା ଏହି ୧୦ ଜଣ ବ୍ୟକ୍ତି ଜେଲ୍ ଭିତରର କଏଦୀ ନା ବାହାର ଲୋକ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।
ବିଜେପି ଜାତୀୟ ମୁଖପାତ୍ର ଶହଜାଦ ପୁନାୱାଲା ଏହି ଭିଡିଓ ଟ୍ୱିଟ କରି ଅଭିଯୋଗ କରିଛନ୍ତି ଯେ ଭିଆଇପି ସୁବିଧା ଦେବା ପାଇଁ ଜେଲରେ ଜୈନଙ୍କ ନିମନ୍ତେ ୮-୧୦ ଜଣ ଲୋକଙ୍କୁ ନିଯୁକ୍ତ କରାଯାଇଛି। ତିହାରରେ ‘ଆପ୍’ର ଦରବାର ପରେ ଏବେ ରୁମ ସର୍ଭିସ ଓ ହାଉସ କିପିଙ୍ଗ ସେବା ଯୋଗାଇ ଦିଆଯାଉଛି ବୋଲି ଉଲ୍ଲେଖ କରିଛନ୍ତି।
Powered by Froala Editor