ଚାଲିଗଲା ଶାକାହାରୀ ‘ବବିୟା’

ଚାଲିଗଲା ଶାକାହାରୀ କୁମ୍ଭୀର। କେରଳର କାସରାଗୋଡ ‘ଶ୍ରୀ ଅନନ୍ତ ପଦ୍ମନାଭ’ ମନ୍ଦିରରେ ପାଳିତ ୭୫ ବର୍ଷୀୟ କୁମ୍ଭୀର ଆଖି ବୁଜିଛି। ତାର ମୃତ୍ୟୁରେ ଶହଶହ ଲୋକ ଲୁହଗଡ଼ାଇଛନ୍ତି। କୁମ୍ଭୀରଟି ପୋଷା ମଣି ଯାଇଥିବାରୁ ଏଠିକାର ଲୋକେ ଶ୍ରଦ୍ଧାରେ ତା ନାଁ ଦେଇଥିଲେ ‘ବବିୟା’। ଏବେ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ତାକୁ ଝୁରୁଛନ୍ତି।
ବିଗତ ସାତ ଦଶନ୍ଧି ଧରି କାସରାଗୋଡ ଜିଲ୍ଲାର ମାଜେଶ୍ୱରମ୍ ଅଞ୍ଚଳର ଅନନ୍ତପୁର ହ୍ରଦରେ ମନ୍ଦିରକୁ ଜଗି ରହିଥିଲା ‘ବବିୟା’। ଏହି ଧାର୍ମିକ କୁମ୍ଭୀରକୁ ଶେଷ ସମ୍ମାନ ଜଣାଇବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ବିଷ୍ଣୁ ସାହସ୍ରନାମ ଜପ କରାଯାଇ କୁମ୍ଭୀରଟିର ଅନ୍ତିମ ସଂସ୍କାର କରାଯାଇଥିଲା । ପୂର୍ବରୁ ତାକୁ ଦିନକୁ ଦୁଇଥର ସକାଳ ଏବଂ ଅପରାହ୍ନ ପୂଜା ପରେ ଖାଇବାକୁ ମନ୍ଦିରର ପ୍ରସାଦ ଦିଆଯାଉଥିଲା । ସେ କେବଳ ଭକ୍ତ ଏବଂ ମନ୍ଦିର ଦ୍ୱାରା ଦିଆଯାଉଥିବା ଖାଦ୍ୟ ହିଁ ଗ୍ରହଣ କରୁଥିଲା । କୁମ୍ଭୀରଟି ବିଶାଳକାୟ ହେଇଥିଲେ ମଧ୍ୟ ମନ୍ଦିରରେ କେବେ କାହା ପାଇଁ ବିପଦର କାରଣ ହୋଇ ନଥିଲା । ଏପରିକି ସେ ହ୍ରଦରେ ରହୁଥିବା ଅନ୍ୟ ଜୀବ ଏବଂ ମାଛମାନଙ୍କର କୌଣସି ଅନିଷ୍ଟ କରୁ ନଥିଲା । କୁମ୍ଭୀରର ମୃତ୍ୟୁ ପରେ ଅନେକ ଶ୍ରଦ୍ଧାଳୁ ସେଠାରେ ଏକତ୍ରିତ ହୋଇଥିଲେ ।
ହିନ୍ଦୁ ରିପୋର୍ଟ ଅନୁଯାୟୀ ୧୯୪୫ରେ ଜଣେ ବ୍ରିଟିସ ସୈନ୍ୟ ଏଠିକାର ହ୍ରଦରେ ଥିବା ଏକ କୁମ୍ଭୀରକୁ ଗୁଳି କରିଥିଲେ। ଏହାର କିଛି ଦିନ ପରେ ଏହି ହ୍ରଦରୁ ବବିୟାର ଆବିର୍ଭାବ ହୋଇଥିଲା। ସେବେଠାରୁ ଏହି କୁମ୍ଭୀରକୁ ଅତି ଯତ୍ନର ସହକାରେ ସ୍ଥାନୀୟ ଲୋକେ ତାର ଚର୍ଚ୍ଚା କରି ଆସୁଥିଲେ। ତେବେ ଗତ କିଛି ଦିନ ହେଲା କୁମ୍ଭୀରଟି ଅସୁସ୍ଥ ଥିଲା। କୁମ୍ଭୀରଟିକୁ ମାଙ୍ଗାଲୋରୁରେ ଥିବା ଏକପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ପରେ ତାକୁ ନେଇ ସେଇ ହ୍ରଦରେ ଛଡ଼ାଯାଇଥିଲା । କୁମ୍ଭୀରଟି ଦୁଇ ଦିନ ହଲା କିଛି ଖାଇ ବାକୁ ଆସୁ ନଥିଲା। ପରେ ତାର ମୃତ ଦେହ ଠାବ କରାଯାଇଥିଲା।
Powered by Froala Editor