ଇଡିରେ ହାଜର ପାଇଁ ଅଧିକ ସମୟ ମାଗିଲେ ସୋନିଆ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଚିଠି ଲେଖି ଏଜେନ୍ସି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଥିଲେ। ସୋନିଆ ଗାନ୍ଧିଙ୍କ ଚିଠି ପାଇଁ ତାଙ୍କୁ ଆଉ କିଛି ସମୟ ଦେବା ପାଇଁ ରାଜି ହୋଇଛି ଇଡି।
ଆସନ୍ତାକାଲି ତାଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିବାକୁ ଇଡି ନୋଟିସ କରିଥିଲା। ହେଲେ ସେ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ଯୋଗୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ଏହା ସ୍ୱାଭାବିକ ହେବା ପାଇଁ କିଛି ସପ୍ତାହ ଲାଗିବ। ସେ ଯାଏ ଜେରା ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ସୋନିଆ ଚାହୁଁଛନ୍ତି। ଏଥିପାଇଁ ସେ ଆଜି ଇଡିକୁ ଚିଠି ଲେଖିଥିଲେ। ଆଗକୁ ନୂଆ ତାରିଖ ସହ ସୋନିଆ ଗାନ୍ଧିଙ୍କୁ ସମନ ଜାରି କରାଯିବ ବୋଲି ଜଣାପଡ଼ିଛି।
କଂଗ୍ରେସ ନେତା ଜୟରାମ ରମେଶ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି, “କରୋନା ଓ ଫୁସଫୁସ ସଂକ୍ରମଣ ପାଇଁ ତାଙ୍କୁ(ସୋନିଆ ଗାନ୍ଧି) ଘରେ ସଂପୂର୍ଣ୍ଣ ବିଶ୍ରାମ ନେବାକୁ ହସ୍ପିଟାଲ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଇଡିକୁ ଚିଠି ଲେଖି ସଂପୂର୍ଣ୍ଣ ସୁସ୍ଥ ହେବା ଯାଏ ପଚରାଉଚରା କାର୍ଯ୍ୟକ୍ରମକୁ କିଛି ସପ୍ତାହ ସ୍ଥଗିତ ରଖିବାକୁ କହିଛନ୍ତି।”
ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଡକାଇଥିଲେ। ତେବେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏବେ ଘରେ ବିଶ୍ରାମ ନେବାକୁ ସୋନିଆଙ୍କୁ ପରାମର୍ଶ ଦିଆଯାଇଛି।
Powered by Froala Editor