ଯମୁନାରେ ଭାସି ଆସିଲା ଗୋଟିଏ ପରେ ଗୋଟିଏ ଶବ, ପୁଲିସ ଦେଲା ଏମିତି ତଥ୍ୟ...

ଉତ୍ତରପ୍ରଦେଶର ହମିରପୁର ଜିଲ୍ଲା ଅନ୍ତର୍ଗତ ଯମୁନା ନଦୀ ତଟରୁ ଭୟଙ୍କର ଦୃଶ୍ୟ ସାମନାକୁ ଆସିଛି । ଯାହାକି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ଯମୁନା ନଦୀରେ ଏକସଙ୍ଗେ ଡଜନେରୁ ଅଧିକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ନଦୀରେ ଏତେ ଶବ ଆସିଲା କେଉଁଠୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନଦୀରେ ଏତେ ସଂଖ୍ୟକ ମୃତଦେହ ଦେଖିବା ପରେ ଗାଁରେ ଭୟ ଖେଳିଯାଇଥିବା ବେଳେ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଘଟଣାସ୍ଥଳରେ ପୁଲିସ ପହଂଚି ଯେତେବେଳେ ଅନୁସନ୍ଧାନ କଲା ପୁଲିସ ବି ଆଶ୍ଚର୍ଯ୍ୟ ହୋଇଗଲା । ଅନୁସନ୍ଧାନରୁ ଜଣାପଡିଛି ଯେ, କାନପୁର ଓ ହମିରପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଯାଉଥିବାବେଳେ ମୃତକଙ୍କ ସମ୍ପର୍କୀୟ ଶବର ଅନ୍ତିମ ସଂସ୍କାର ନ କରି ତାହାକୁ ନଦୀରେ ଭସାଇଦେଉଛନ୍ତି ।
ଏହି ଘଟଣାକୁ ନେଇ ପୁଲିସର କହିବା କଥା ଯେ, ନଦୀରେ ବହୁ ସଂଖ୍ୟାରେ ମୃତଦେହ ଭାସିଆସୁଥିବାର ଦେଖିବାକୁ ମିଳିଛି । ତେବେ ଯମୁନା ନଦୀକୁ ମୋକ୍ଷଦାୟିନୀ ନଦୀ ଭାବେ ସ୍ଥାନୀୟ ଲୋକ ବିବେଚନା କରୁଥିବାରୁ ନଦୀରେ ଶବ ଭସାଇ ଦେଉଛନ୍ତି । ପୂର୍ବରୁ କେବେ କେବେ ଗୋଟିଏ କି ଦୁଇଟି ଶବ ଭାସୁଥିବାର ଦେଖାଯାଉଥିବାବେଳେ ଏବେ ବହୁ ସଂଖ୍ୟାରେ ଶବ ଭାସିଆସୁଥିବାର ଲୋକ କହିଛନ୍ତି । କାରଣ ସେମାନେ ଏହାକୁ ପରମ୍ପରା ବୋଲି ମାନିଆସିଛନ୍ତି। କିନ୍ତୁ କରୋନା ସମୟରେ ମୃତଦେହର ବନ୍ୟା ଆସିଥିବା ଭଳି ମନେ ହେଉଛି। ଯାହା ସ୍ପଷ୍ଟ କରୁଛି ଗ୍ରାମାଞ୍ଚଳରେ କେତେ ସଂଖ୍ୟକ ଲୋକେ ପ୍ରାଣ ହରାଉଛନ୍ତି।
Powered by Froala Editor