ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାଣିକ ସାହା

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ସାହା। ତ୍ରିପୁରା ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ନେବା ପରେ ମାଣିକ ସାହା କହିଛନ୍ତି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ପ୍ରସଙ୍ଗକୁ ନେଇ ଆମେ ଆଗକୁ ବଢ଼ିବୁ। ରାଜ୍ୟର ଆଇନ ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ। ଲୋକଙ୍କର ଯାହା ସମସ୍ୟା ରହିଛି, ସେଗୁଡ଼ିକର ସମାଧାନ କରାଯିବ।
ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଇସ୍ତଫା ଦେବା ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଦଳ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ବିପଳ୍ପ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମାଣିକ ସାହାଙ୍କୁ ବିଧାୟକ ଦଳ ନିର୍ବାଚିତ କରାଯାଇଥିଲା। ବିଧାୟକ ଦଳ ବୈଠକରେ ବିପ୍ଳବ କୁମାର ଦେବ ହିଁ ମାଣିକ ସାହାଙ୍କ ନାମ ପ୍ରସ୍ତାବ ରଖିଥିଲେ। ତା’ପରେ ସେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରି ଥିଲେ।
ତ୍ରିପୁରାରେ ଦଳ ମଧ୍ୟରେ ଶୃଙ୍ଖଳା ଓ ବିରୋଧୀଙ୍କୁ ଜବାବ ଦେବାକୁ ବିଜେପି ଏପରି ଏକ ପଦକ୍ଷେପ ନେଇଥିବା କୁହାଯାଉଛି । ଅତୀତରେ ବିଜେପି ଏପରି ପଦକ୍ଷେପ ଅନେକଥର ନେଇଥିବା ଦେଖିବାକୁ ମିଳିଛି । ଗୁଜୁରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ବିଜେପି ବାରମ୍ବାର ମୁଖ୍ୟମନ୍ତ୍ରୀ ବଦଳାଇଥିବା ଦେଖିବାକୁ ମିଳିଛି ।
Powered by Froala Editor