କଂଗ୍ରେସରୁ ଇସ୍ତଫା ଦେଲେ ଅଶ୍ବିନୀ କୁମାର
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ଅଶ୍ବିନୀ କୁମାର ଲେଖିଛନ୍ତି ଯେ, ସେ ଦଳ ବାହାରେ ରହି ଜାତୀୟ ପ୍ରସଙ୍ଗ ଉପରେ ଭଲ କାମ କରିପାରିବେ। ଏହା ବ୍ୟତୀତ ସେ ଦଳକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ପୂର୍ବତନ ଆଇନ ମନ୍ତ୍ରୀ କଂଗ୍ରେସରୁ ଇସ୍ତଫା ଦେବା ପରେ କହିଛନ୍ତି ଯେ କଂଗ୍ରେସ ଆଉ ସେହି ଦଳ ହୋଇ ରହିନାହିଁ ଯାହା ପୂର୍ବରୁ ଥିଲା । କଂଗ୍ରେସ ଦଳର ନେତୃତ୍ୱ ନେବା ପାଇଁ ଆମ ପାଖରେ ପରିବର୍ତ୍ତନଶୀଳ ତଥା ପ୍ରେରଣାଦାୟକ ନେତୃତ୍ୱ ନାହାନ୍ତି । ମୁଁ ରାଜନୀତି ଛାଡି ନାହିଁ କିମ୍ବା ଜନତାଙ୍କ ସେବା କରିବା ବନ୍ଦ କରିନାହିଁ। ମୁଁ ଦେଶ ପ୍ରତି ମୋର କାର୍ଯ୍ୟ ଜାରି ରଖିବି । ଏହାସହ ଏହା ଏକ ଯନ୍ତ୍ରଣାଦାୟକ ନିଷ୍ପତ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ବହୁତ ସମୟ ଚିନ୍ତା କଲି ଏବଂ ହୃଦୟଙ୍ଗମ କଲି ଯେ ବର୍ତ୍ତମାନ କଂଗ୍ରେସର ଆଭ୍ୟନ୍ତରୀଣ ପ୍ରକ୍ରିୟା ଯେପରି ଚାଲିଛି, ମୁଁ ଆଉ ମୋର ସମ୍ମାନ ଏବଂ ଆତ୍ମ ସମ୍ମାନ ସହିତ ଆଗକୁ ବଢିପାରିବି ନାହିଁ’ ।
ସୂଚନା ଥାଉ କି , ଅଶ୍ବିନୀ କୁମାର ପଞ୍ଜାବରୁ ରାଜ୍ୟସଭା ସାଂସଦ ଥିଲେ। ସେ ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଇସ୍ତଫା କଂଗ୍ରେସ ପାଇଁ ଏକ ବଡ଼ କ୍ଷତି ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।
Powered by Froala Editor