କୋଭିସିଲ୍ଡ ପରେ କମିଲା କୋଭାକ୍ସିନର ଦାମ୍
ସେରମ ପରେ ଏବେ ଭାରତ ବାୟୋଟେକ ମଧ୍ୟ କୋଭାକ୍ସିନ ଟିକାର ଦାମ କମ କରିଛି। ପୂର୍ବରୁ ଏହାର ଦାମ ୬୦୦ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ହ୍ରାସ କରାଯାଇ ୪୦୦ଟଙ୍କା କରାଯାଇଛି। ରାଜ୍ୟମାନେ ଏବେ ୪୦୦ଟଙ୍କାରେ କୋଭାକ୍ସିନ ଟିକାର ଗୋଟେ ଡୋଜ କିଣିପାରିବେ। ଏନେଇ ଭାରତ ବାୟୋଟେକ ପକ୍ଷରୁ ଘୋଷଣା କରାଯାଇଛି।
ଗତକାଲି ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା ଟୁଇଟ କରି କହିଥିଲେ ଯେ, ସେରମ୍ ଇନଷ୍ଟିଚ୍ୟୁଟ ଇଣ୍ଡିଆ ତରଫରୁ ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡର ମୂଲ୍ୟକୁ ୪୦୦ଟଙ୍କାରୁ ୩୦୦ଟଙ୍କାକୁ ହ୍ରାସ କରାଯାଇଛି, ଖୁବଶୀଘ୍ର ଏହା ଲାଗୁ ହେବ। ଏହାଦ୍ୱାରା ରାଜ୍ୟ ପାଣ୍ଠିର ହଜାର ହଜାର କୋଟି ସଞ୍ଚୟ ହେବ। ଏହା ଟିକାକରଣକୁ ସକ୍ଷମ କରିବ ଏବଂ ଅଗଣିତ ଜୀବନ ରକ୍ଷା କରିବ ବୋଲି ଲେଖିଥିଲେ ଅଦର ପୁନାୱାଲା।
ପୂର୍ବରୁ ଦାମକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବା ବେଳେ ଏହାକୁ କମ କରିବା ପାଇଁ ମଧ୍ୟ ଦୁଇଟି ଟିକା ନିର୍ମାତାଙ୍କୁ କୁହାଯାଇଥିଲା। ଗତକାଲି ସେରମ୍ ଇନଷ୍ଟିଚ୍ୟୁଟ ଦାମ କମ କରିଥିବା ବେଳେ ଆଜି ଭାରତ ବାୟୋଟେକ ଟିକାର ଦାମ କମ କରିଛି। ଏହାର ଅର୍ଥ ରାଜ୍ୟ ସରକାରମାନେ ଭାରତ ବାୟୋଟେକ୍ରୁ ଡୋଜ ପିଛା ୪୦୦ ଟଙ୍କା ଦେଇ କୋଭାକ୍ସିନ୍ ଟିକା ସିଧାସଳଖ କିଣିପାରିବେ। ତେବେ ଘରୋଇ ସଂସ୍ଥା ଓ ଘରୋଇ ହସ୍ପିଟାଲ ଗୁଡ଼ିକ ପୂର୍ବଭଳି ୧୨ଶହ ଟଙ୍କାରେ ଟିକାର ଡୋଜ୍ ଗୁଡ଼ିକ କିଣିବେ। ଏସମ୍ପର୍କରେ ଆଜି ଭାରତ ବାୟୋଟେକ ଏକ ବିବୃତି ଜାରି କରି ସୂଚନା ଦେଇଛି।
Powered by Froala Editor