ବଡ଼ଦାଣ୍ଡରେ ଖୋଲି ପାରିବନି ମଦ ଦୋକାନ
ଭୁବନେଶ୍ୱର: ଶ୍ରୀମନ୍ଦିର ୧କି.ମି. ପରିଧି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ସ୍ବତନ୍ତ୍ର ନିୟମ ନାହିଁ। ଏହାକୁ ଅବକାରୀ ବିଭାଗ କଡ଼ାକଡ଼ି ଭାବେ ପାଳନ କରିବାକୁ ଷ୍ଟାଣ୍ଡିଂ କମିଟି ଅବକାରୀ ବିଭାଗକୁ ସୁପାରିଶ କରିଛି।
ଓଡ଼ିଶା ଅବକାରୀ ନିୟମ-୨୦୧୭ ଅନୁସାରେ, ସହରାଞ୍ଚଳରେ ଥିବା ମନ୍ଦିରଠାରୁ ୩୦୦ ମିଟର ଭିତରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବନି। ସେହିପରି ଶିକ୍ଷାନୁଷ୍ଠାନ ପରିସରରୁ ୫୦୦ ମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲାଯାଇ ପାରିବ ନାହିଁ। କେବଳ ମଦ ଦୋକାନ ନୁହେଁ, ବରଂ ଶିକ୍ଷାନୁଷ୍ଠାନଠାରୁ ୧କି.ମି. ପରିଧି ମଧ୍ୟରେ କୌଣସି ନିଶାଦ୍ରବ୍ୟ ଦୋକାନ ଖୋଲିବାର ନିୟମ ନାହିଁ। ନିଶା ସେବନ ଦ୍ବାରା ଆପରାଧିକ କାର୍ଯ୍ୟ ବଢ଼ୁଛି। ତେଣୁ ୧୮ବର୍ଷରୁ କମ ଯୁବବର୍ଗଙ୍କୁ ମଦ ବିକ୍ରି କରାଯାଇ ପାରିବ ନାହିଁ। ଅନେକ କ୍ଷେତ୍ରରେ ଯୁବବର୍ଗ ଅନ୍ଲାଇନ ମାଧ୍ୟମରେ ସ୍ବିଗି ଏବଂ ଜୋମାଟୋ ଦ୍ବାରା ମଦ ଅର୍ଡର କରିଥାନ୍ତି। ଶିକ୍ଷାନୁଷ୍ଠାନ ଛାତ୍ରାବାସରେ ସ୍ବିଗି ଏବଂ ଜୋମାଟୋ ମାଧ୍ୟମରେ ମଦ ପହଞ୍ଚିଥାଏ। ଏହି ପରିପ୍ରେକ୍ଷୀରେ ଶିକ୍ଷାନୁଷ୍ଠାନର ଛାତ୍ରାବାସକୁ ମଦ ପ୍ରବେଶ ନିଷେଧ କରାଯିବା ସହିତ ସ୍ବିଗି ଏବଂ ଜୋମାଟୋ ମାଧ୍ୟମରେ ମଦ ଯୋଗାଣକୁ ନିଷେଧ କରିବାକୁ ଷ୍ଟାଣ୍ଡିଂ କମିଟି ଅବକାରୀ ବିଭାଗକୁ ସୁପାରିଶ କରିଛି।
ବର୍ତ୍ତମାନ ସ୍ଥିତିରେ ସରକାରୀ ନିୟମକୁ ଆଧାର କରି ଯେଉଁ ଦୋକାନଗୁଡ଼ିକ ଖୋଲାଯାଇ ପାରିବ, ତା’ ଉପରେ ଅବକାରୀ ବିଭାଗ ଯଥାଶୀଘ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି। ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ଓ ଚୋରା ମଦ ବିକ୍ରିର ଅଭିଯୋଗ ଆସୁଛି, ତୁରନ୍ତ ସେହି ଦୋକାନକୁ ବନ୍ଦ କରିବା ସହ ଉକ୍ତ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ଆର୍ଥିକ ବର୍ଷ ୨୦୧୫-୧୬ରେ ଅବକାରୀ ବିଭାଗ ରାଜସ୍ବ ସଂଗ୍ରହ ୨୫୬୮.୬୮ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ରେ ୮୧୯୫.୫୩ କୋଟି ଟଙ୍କାରେ ପହଞ୍ଚିଛି। କେବଳ କରୋନା ମହାମାରୀ କାରଣରୁ ଆର୍ଥିକ ବର୍ଷ ୨୦୨୦-୨୧ରେ ଅବକାରୀ ରାଜସ୍ବ ସଂଗ୍ରହ ୪୦୫୩.୫୧ କୋଟି ଟଙ୍କା ଥିଲା। ଏହି ବର୍ଷ ୯.୮୩% ରାଜସ୍ବ ସଂଗ୍ରହ କମିଥିଲା। ଅପରପକ୍ଷରେ ଅବଶିଷ୍ଟ ଆର୍ଥିକ ବର୍ଷଗୁଡ଼ିକରେ ଅବକାରୀ ରାଜସ୍ବ ବୃଦ୍ଧି ପାଇବାରେ ଲାଗିଛି।
Powered by Froala Editor