ତେଲକୋଇ ଓ ରାଇରଙ୍ଗପୁରରେ ପଶିଲେ ହାତୀପଲ
କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ୪୦ ଟିକିଆ ହାତୀ ପଶିଛନ୍ତି । କାହାର ଭାଙ୍ଗୁଛନ୍ତି ତ କାହାର ଫସଲ ନଷ୍ଟ କରୁଛନ୍ତି । ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ ଚେଷ୍ଟା ଚଳାଇଛି । ଏହା ସହିତ କ୍ଷୟକ୍ଷତିର ଆକଳନ କରାଯାଉଛି ।
ଦୁଇ ଦିନ ତଳେ ବିମଳା ଫରେଷ୍ଟ ବିଟ୍ ଅଧୀନ ଗୋଳାଗାଡ଼ିଆ ଗ୍ରାମରେ ବିଷ୍ଣୁ ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ହାତୀପଲ ଧାନ ଚାଉଳ ଖାଇ ଦେଇଥିଲେ। ସେହି ସମୟରେ ପରିବାର ଲୋକେ ଘରେ ଶୋଇଥିଲେ ଓ କାନ୍ଥ ପଡ଼ିବାରୁ ପରିବାରର ୪ ସଦସ୍ୟ ଅଳ୍ପକେ ରକ୍ଷା ପାଇଥିଲେ। ହାତୀପଲ ଗତକାଲି ରାତିରେ ପୁଣି ଗୋଳାଗାଡ଼ିଆ ଗ୍ରାମରେ ପଶିଥିଲେ ଓ ବାସନ୍ତୀ ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇଦେଇଥିଲେ। ତେବେ ବାସନ୍ତୀ ଓ ତାଙ୍କ ପୁଅ ନିର୍ମଳ ମୁଣ୍ଡା ଅନ୍ୟ ଏକ ଘରେ ଶୋଇଥିବାରୁ ଅଘଟଣରୁ ବର୍ତ୍ତି ଯାଇଥିଲେ। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଯେ, କିଛି ଦିନ ହେଲାଣି ଦେବଗଡ଼ ବନାଞ୍ଚଳର ଖମାର ଅଂଚଳରୁ ୩୧ଟି ହାତୀ ଓ ଆନନ୍ଦପୁର ବନଖଣ୍ଡ ଅଂଚଳରୁ ୬ ଟି ହାତୀ ତେଲକୋଇ ବନାଞ୍ଚଳକୁ ଆସି ଉପଦ୍ରଵ କରୁଛନ୍ତି।
ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମଧ୍ୟ ହାତୀପଲ ଉତ୍ପାତ ଚଳାଇଛନ୍ତି । ରାଇରଙ୍ଗପୁର ବନଖଣ୍ଡର ବାଦମପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୁଇଟି ଦନ୍ତା ଓ ଗୋଟେ ମାଈ ହାତୀ ବାଦମପାହାଡ଼ ବନାଞ୍ଚଳ ପାତେଝରୀ, ଉକାମ ଆଦି ଜାଗାରେ ବୁଲୁଛନ୍ତି । ମାଈ ହାତୀଟି ଗୋଠଛଡ଼ା ହୋଇ ଅଞ୍ଚଳରେ ବୁଲୁଛି। ଦୁଇଦିନ ତଳେ ମାଈ ହାତୀଟି ଗୋଟିଏ ଘର ଭାଙ୍ଗିଦେଇଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
Powered by Froala Editor