ମା’ ଶାରଳାଙ୍କ ପୀଠର ହେବ ନବକଳେବର, ଜାଣନ୍ତୁ କ’ଣ ରହିଛି ମାଷ୍ଟର ପ୍ଲାନ୍
ନୂଆ ରୂପ ନେବ ମା’ ଝଙ୍କଡ଼ ଶାରଳାଙ୍କ ପୀଠ । ମା’ ସାରଳାଙ୍କ ପୀଠର ନବକଳେବର ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବା ସହ ରାଜ୍ୟ ସରକାରଙ୍କର ଅନୁମୋଦନ ମିଳିଛି।
ଝଙ୍କଡ଼ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କେ ପାଣ୍ଡିଆନ ନିକଟରେ ମା’ ଶାରଳାଙ୍କ ପୀଠ ପରିଦର୍ଶନ କରି ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ମା’ଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲା। ଏହା ସହ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ୫-ଟି ଉପକ୍ରମରେ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ଏହାକୁ ଇଣ୍ଟିଗ୍ରେଟେଡ ଡେଭେଲପମେଣ୍ଟ ଅପ୍ ହେରିଟେଜ ଆଣ୍ଡ ମନୁମେଣ୍ଟସ ଆଣ୍ଡ ଟୁରିଷ୍ଟ ଡେଷ୍ଟିନେସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
ଏହି ନବୀକରଣ ଅନ୍ତର୍ଗତ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିରଗୁଡ଼ିକର ବିକାଶ କରାଯିବ। ଏହା ସହିତ ପୁଷ୍କରଣୀର ବିକାଶ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ଵାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରଯିବ। ମନ୍ଦିରର ରୋଷଘର, ଆନନ୍ଦ ବଜାର, ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ।
ଯାତ୍ରୀ ତଥା ସେବାୟତମାନଙ୍କ ସୁବିଧା ନିମନ୍ତେ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୋଲିସ କଣ୍ଟ୍ରୋଲ ରୁମ୍, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ଏହା ସହ ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ। ବର୍ତ୍ତମାନର ସପିଂ କମ୍ପ୍ଲେକ୍ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ସେଠାରେ ଗାଡ଼ି ମଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ।
Powered by Froala Editor