ବୁଧବାର ଦୁନିଆର ସବୁଠୁ ବଡ ମୋଟେରା କ୍ରିକେଟ୍ ଷ୍ଟାଡିୟମର ଆନୁଷ୍ଠାନିକ ଉଦ୍ଘାଟନ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ସ୍ପୋର୍ଟ୍ସ ଏନକ୍ଲେଭର ଭୂମି ପୂଜନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସହରର ମୋଟେରା ସ୍ଥିତ ଏହି ସର୍ବ ବୃହତ କ୍ରିକେଟ୍ ଷ୍ଟାଡିୟମ ୬୩ ଏକର ଜମି ଉପରେ ନିର୍ମିତ। ଷ୍ଟାଡିୟମରରେ ୧.୧୦ ଲକ୍ଷ ଦର୍ଶକ ବସିବାର କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟରେ ୩ କର୍ପୋରେଟ୍ ବକ୍ସ, ଅଲିମ୍ପିକସ୍ତରୀୟ ସୁଇମିଂ ପୁଲ୍, ଇନଡୋର ଏକାଡେମୀ, ଚାରି ଡ୍ରେସିଂ ରୁମ, ଫୁଡ୍ କୋର୍ଟ ଓ ଜିସିଏ କ୍ଲବ ହାଉସ୍ ମଧ୍ୟ ସାମିଲ। ଷ୍ଟାଡିୟମରେ ଛଅ ଲାଲ ଏବଂ ପାଞ୍ଚଟି କଳା ମାଟିରେ ମୋଟ୍ ୧୧ଟି ପିଚ୍ ପ୍ରସ୍ତୁତ କରାଯାଇଛି। ମୁଖ୍ୟ ଏବଂ ଅଭ୍ୟାସ୍ ପିଚ୍ ପାଇଁ ଦୁଇ ମାଟିର ଉପଯୋଗ କରାଯିବାରେ ଏହା ବିଶ୍ଵର ପ୍ରଥମ ଷ୍ଟାଡିୟମ। ବର୍ଷା ସ୍ଥିତିରେ ପିଚ୍କୁ ମାତ୍ର ୩୦ ମିନିଟ୍ରେ ଶୁଖାଯାଇ ପାରିବ। ଅତ୍ୟାଧୁନିକ ଏଲଇଡି ଫ୍ଲଡଲାଇଟ୍ରେ ବାତାବରଣ ଗରମ ହେବ ନାହିଁ ଏବଂ ଦର୍ଶକଙ୍କ ସହିତ କ୍ରିକେଟ୍ରଙ୍କୁ ମଧ୍ୟ ଆରାମ ମିଳିବ।
ଏ ପର୍ଯ୍ୟନ୍ତ ମେଲବର୍ଣ୍ଣର ଏମସିଜି ଦୁନିଆର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ ଥିଲା। ଏଠାରେ ଦର୍ଶକ ବସିବାର କ୍ଷମତା ୯୦ ହଜାର ରହିଥିଲା। ଗୁଜରାଟରେ ନିର୍ମିତ ଦୁନିଆର ସବୁଠୁ ବଡ ପ୍ରତୀମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପରେ ଏବେ ରାଜ୍ୟ କ୍ରିକେଟ୍ରେ ଦୁନିଆର ସବୁଠୁ ବଡ ଷ୍ଟାଡିୟମ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ପ୍ରାୟ ୮୦୦ କୋଟି ବଜେଟ୍ରେ ନିର୍ମିତ ଏହି ଷ୍ଟାଡିୟମର ନିର୍ମାଣ ଲାର୍ସନ ଆଣ୍ଡ ଟ୍ରୁବୋ(ଏଲ ଆଣ୍ଡ ଟି) କମ୍ପାନୀ ଦ୍ଵାରା ହୋଇଛି।
ଉଦ୍ଘାଟନ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥିତ ରହିବେ। ଏହି ଷ୍ଟାଡିୟମରେ ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍ର ତୃତୀୟ ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ରହିଛି ।
28total visits,1visits today