୫ ରାଜ୍ୟକୁ କରୋନା ଫେରିଛି। ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଶଗଡ଼ରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ସତର୍କ ରହିବାକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬,୧୧୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ପଞ୍ଜାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫେବୃୟାରୀ ୧୩ଠାରୁ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୯ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି।
ସଂକ୍ରମଣ ବଢ଼ୁଥିବା ବେଳେ ଏ ନେଇ କଡ଼ା କଟକଣା ଜାରି କରାଯାଇଛି। ବିଶେଷକରି ମହାରାଷ୍ଟ୍ରର ୩ଟି ଜିଲ୍ଲା ଯବତମଲ, ଅକୋଲା ଏବଂ ଅମରାବତୀରେ ସପ୍ତାହନ୍ତମାନଙ୍କରେ ସାମାଜିକ ଦୂରତ୍ୱ ନିୟମ ଜାରି କରିବାକୁ ଆଦେଶ ଦିଆଯାଇଛି। ଏହାଛଡ଼ା, ରବିବାର ଦିନ ଏହି ଜିଲ୍ଲାମାନଙ୍କରେ ଲକ୍ଡାଉନ୍ ପାଇଁ ଘୋଷଣା କରାଯାଇଛି। ଜନ ସମାବେଶ ନିମନ୍ତେ ଅନୁମତି ନ ଦେବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର୍ କହିଛନ୍ତି ଯେ, କୋଭିଡ୍-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ସର୍ବସାଧାରଣରେ ମାସ୍କ୍ ନ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ନିର୍ଦେଶ ଦେଇଛନ୍ତି।
ଏପରିକି ମୁମ୍ବାଇରେ ୨୭୪୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଶନିବାର ମୋଟ ୧୩୦୫ଟି କୋଠାକୁ ସିଲ୍ କରିଛି। ବିଏମସି କହିଛି ଯେ, “୨୭୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁମ୍ବାଇରେ ମୋଟ ୧୩୦୫ଟି କୋଠାକୁ ସିଲ୍ କରାଯାଇଛି। ଏହି ସିଲ୍ ହୋଇଥିବା ଅଟ୍ଟାଳିକାରେ ୭୧,୮୩୮ ପରିବାର ବାସ କରୁଛନ୍ତି।’’
40total visits,1visits today