ସିକିମର ନାକୁଲାରେ ଭାରତ-ଚୀନ ଯବାନ ପୁଣି ମୁହାଁମୁହିଁ ହୋଇଛନ୍ତି। ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ ହୋଇଥିବା ବେଳେ ଭାରତର ୪ ଜଣ ଯବାନ ଆହତ ହୋଇଛନ୍ତି। ଚୀନ ଯବାନ ଅନୁପ୍ରବେଶ ବେଳେ ଉତ୍ତର ସିକିମର ନାକୁଲାରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଉତ୍ତର ସିକିମର ନକୁ ଲ’ରେ ଚୀନ୍ ସୈନିକମାନେ ସୀମା ଟପିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ଯବାନମାନେ ପ୍ରତିରୋଧ କରିଥିଲେ। ଫଳରେ ଉଭୟ ଦେଶର ସୈନିକମାନଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଭାରତୀୟ ସେନାର ୪ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ଉତ୍ତର ସିକିମରେ ପ୍ରତିକୂଳ ପାଗ ସତ୍ତ୍ୱେ ଭାରତୀୟ ସେନାର ଯବାନମାନେ ସଫଳତାର ସହ ଚୀନ୍ ସୈନିକମାନଙ୍କୁ ବାସ୍ତବ ନିୟନ୍ତ୍ରଣ ରେଖା ସେପାରିକୁ ହଟାଇ ଦେଇଥିଲେ। ହେଲେ ଏବେବି ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତୀୟ ପ୍ରାନ୍ତର ସବୁ ପଏଣ୍ଟରେ ପାଗ ଖରାପ ରହିଥିଲେ ହେଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ମୋଲ୍ଡାରେ ୧୫ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହାକୁ ମିଶାଇ ଭାରତ ଓ ଚାଇନା ମଧ୍ୟରେ ଏପର୍ଯ୍ୟନ୍ତ ୯ଥର ଆଲୋଚନା ହୋଇଛି, କିନ୍ତୁ କୌଣସି ବାଟ ଫିଟିପାରି ନାହିଁ। ସୀମାରେ ଉତ୍ତେଜନା କମ୍ କରିବା ପାଇଁ ଉଭୟ ଦେଶରେ ରାଜନେତା ପରସ୍ପରକୁ ସାକ୍ଷାତ କରୁଛନ୍ତି ଏବଂ ଏହି ମାମଲା ଉପରେ ଲଗାତର ଆଲୋଚନା କରୁଛନ୍ତି।
76total visits,1visits today