ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକ କାଳିଆ ବୋଦା ଶ୍ମଶାନରେ ତାଙ୍କ ଝିଅ ମୁଖାଗ୍ନି ଦେଇଛନ୍ତି। ତାଙ୍କର ଶେଷକୃତ୍ୟ ସମ୍ପନ୍ନବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ଗତକାଲି କଟକ ବଡ଼ ମେଡ଼ିକାଲ୍ରେ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ପରଲୋକ ହୋଇଥିଲା।
ବସ୍ତିରେ ବାସ କରୁଥିବା ଛୋଟ ଛୋଟ ପିଲା ଅବା ଯେଉଁମାନେ ଅର୍ଥ ଅଭାବରୁ ପାଠ ପଢ଼ିପାରୁ ନଥିଲେ ସେମାନଙ୍କ ପାଇଁ ଶିକ୍ଷିତ କରିବାର ସଂକଳ୍ପ କରିଥିଲେ ପ୍ରକାଶ ରାଓ। ବକ୍ସିବଜାରସ୍ଥିତ ନିଜ ଘରେ ୨୦୦୦ ମସିହାରେ “ଆଶା ଆଶ୍ୱାସନା ଗୃହ” ନାମରେ ପ୍ରକାଶ ଆରମ୍ଭ କରିଥିଲେ ଏକ ସ୍କୁଲ। ଚା’ ଦୋକାନରୁ ଯେତିକି ଆୟ ହେଉଥିଲା ସେହି ଟଙ୍କାରେ ମେଣ୍ଟୁଥିଲା ସ୍କୁଲର ଖର୍ଚ୍ଚ। ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦେଇ ସାରିବା ପରେ ସରକାରୀ ସ୍କୁଲରେ ସେମାନଙ୍କ ନାମ ଲେଖାଇ ଦେଉଥିଲେ ପ୍ରକାଶ। ଏବେ ସେହି ସ୍କୁଲରେ ପାଖାପାଖି ୧୦୦ ପିଲା ପାଠ ପଢୁଛନ୍ତି। ପ୍ରକାଶ ରାଓଙ୍କ ପରଲୋକରେ ପରେ କିଏ ଏହି ପିଲାଙ୍କ ଦାୟିତ୍ୱ ନେବ ବୋଲି ସମସ୍ତେ ଚିନ୍ତାରେ ଥିଲେ। କଟକ ଜିଲ୍ଲାପାଳ ଭବାନୀ ପ୍ରସାଦ ଚୟନୀଙ୍କ ଘୋଷଣା ପରେ ପୁଣି ଥରେ ଏହି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ଆଶା କରାଯାଉଛି। ପ୍ରକାଶ ରାଓଙ୍କ ମହତ ଉଦ୍ଦେଶ୍ୟକୁ ଜାରି ରଖିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବ ବୋଲି ସେ କହଛନ୍ତି ।
35total visits,3visits today