କେନ୍ଦ୍ର ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ଅଚଳାବସ୍ଥାର ଅବସାନ ପାଇଁ ସୁପ୍ରିମକୋର୍ଟ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ । ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
କୃଷି ଆଇନ ଉପରେ ସୁପ୍ରିମ୍କୋର୍ଟ ପକ୍ଷରୁ ରୋକ ଲଗାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ମଙ୍ଗଳବାର ବଡ଼ ଝଟ୍କା ଲାଗିଛି। ଏହା ସହିତ ଏନେଇ ଏକ ୪ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି। କମିଟିରେ ଭାରତୀୟ କିଷାନ ୟୁନିଅନର ଅଧ୍ୟକ୍ଷ ଭୂପିନ୍ଦର ମାନ୍ ସିଂ ମାନ୍, ଇଣ୍ଟରନ୍ୟାଶନାଲ ପଲିସି ହେଡ୍ ଡ. ପ୍ରମୋଦ କୁମାର ଜୋଷୀ, ଏଗ୍ରିକଲଚର ଇକୋନୋମିଷ୍ଟ୍ ଅଶୋକ ଗୁଲାଟି ଏବଂ ମହାରାଷ୍ଟ୍ର ଶେତକରି ସଂଗଠନ ଅନୀଲ ଧନଓ୍ବତ୍ଙ୍କୁ ସାମିଲ୍ କରାଯାଇଛି। କମିଟି କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଲାଗି ରହିଥିବା ବିବାଦ ସମ୍ପର୍କରେ ରିପୋର୍ଟ ସୁପ୍ରିମ୍କୋର୍ଟରେ ଦାଖଲ କରିବେ। କୃଷି ଆଇନ ଲାଗୁ ହେବା ଅବା ନ ହେବା ନେଇ ଗଠନ କରାଯାଇଥିବା କମିଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। କମିଟି ରିପୋର୍ଟ ଦାଖଲ ନ କରାଯିବା ପର୍ଯ୍ୟନ୍ତ କୃଷି ଆଇନ ଉପରେ ରୋକ ବଳବତ୍ତର ରହିବ।
37total visits,1visits today