ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କର ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ଆଜି ସୁପ୍ରିମ୍ କୋର୍ଟ କୃଷି ଆଇନକୁ କିଛି ଦିନ ପାଇଁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ତିନୋଟି ବିବାଦୀୟ କୃଷି ଆଇନ ପ୍ରଣୟନ ବନ୍ଦ ରଖାଯାଉ। ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଏହି ତିନି ଆଇନକୁ ତମେ ସ୍ଥଗିତ ରଖିବ ନା ଆମେ ଏହା କରିବୁ। ସେ କହିଛନ୍ତି, ଏହି ଆଇନ ବିରୋଧୀ ଆନ୍ଦୋଳନ ଜନିତ ସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରୁଛି। ଏନେଇ ଆମେ ଅସନ୍ତୋଷ ପ୍ରକାଶ କରୁଛୁ। ଯଦି ଏହାକୁ ନେଇ ରକ୍ତପାତ ହୁଏ ତେବେ ସେଥିପାଇଁ ଆମେ ସମସ୍ତେ ଦାୟୀ ରହିବା।
ସେହିପରି ଏହି ତିନି ଆଇନ ନେଇ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି। ସରକାର ଏହି ପ୍ରସଙ୍ଗରେ କିପରି ମୁକାବିଲା କରୁଥିଲେ ଜାଣିଛନ୍ତି କି ନାହିଁ ? ନିୟମ ତିଆରି କରିବା ପୂର୍ବରୁ କାହା ବିଷୟରେ ଆଲୋଚନା କରିଥିଲେ କି ନାହିଁ ? ଏବେ ସରକାର କ’ଣ କରୁଛନ୍ତି ? ଏ କ୍ଷେତ୍ରରେ କେଉଁ ଆତ୍ମସମ୍ମାନର କଥା ରହିଛି?
ସଲିସିଟର ଜେନେରାଲ କହିଛନ୍ତି ଯେ, ବହୁ ସଂଖ୍ୟକ କୃଷକ ସଂଗଠନ ଏହି ଆଇନକୁ ଲାଭଦାୟକ ବୋଲି କହିଛନ୍ତି । ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଆମ ଆଗରେ କେହି ଆସି ଏହା କହି ନାହାନ୍ତି। ତେଣୁ ଆମେ ଏହା ଉପରେ କିଛି କହିବୁ ନାହିଁ କି ବିଚାର କରିପାରିବୁ ନାହିଁ। ଯଦି ବହୁ ଚାଷୀ ସମର୍ଥନ କରୁଛନ୍ତି ତାହେଲେ ଏ ସଂକ୍ରାନ୍ତରେ ଗଠିତ ହୋଇଥିବା କମିଟିକୁ ସର୍ବପ୍ରଥମେ କୁହନ୍ତୁ।
ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କିଛି ଅଘଟଣ ଘଟେ ସେଥିପାଇଁ ଆମ ଭିତରୁ ସମସ୍ତେ ଦାୟୀ ରହିବେ। ଆମ ହାତରେ ଆଘାତ କିଂବା ରକ୍ତପାତ ଘଟୁ ବୋଲି ଆମେ ଚାହୁଁନାହୁ । ଏହାଛଡ଼ା ସୁପ୍ରିମ୍ କୋର୍ଟ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ, ଏହି ଆଇନ ପ୍ରଣୟନ ସ୍ଥଗିତ କରାଯିବା ପରେ ମଧ୍ୟ ପ୍ରତିବାଦ ଚାଲିପାରେ । କିନ୍ତୁ, ପ୍ରତିବାଦ ସେହି ସ୍ଥାନରେ ଚାଲିବ ନା, ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି, ତାହା ସ୍ଥିର କରନ୍ତୁ। କେନ୍ଦ୍ର ସରକାର ଯେଉଁ ଭଳି ଭାବେ ପ୍ରତିବାଦକାରୀ କୃଷକମାନଙ୍କ ସହ ଆଲୋଚନା କରୁଛନ୍ତି ସେଥିରେ ସୁପ୍ରିମ୍ କୋର୍ଟ ନୈରାଶ୍ୟ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି ୪୮ ଦିନ ଧରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଚାଷୀ ଆନ୍ଦୋଳନ ଏବଂ କୃଷି ଆଇନ ସହ ଜଡିତ ସମସ୍ତ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କରୁଛନ୍ତି। ଚାଷୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଦୁଷ୍ୟନ୍ତ ଡାଭେ ଓକିଲାତି କରିଛନ୍ତି।
50total visits,2visits today