ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଜାନୀଗୁଡା-ତାଲାପଦର ମଧ୍ୟରେ ନାଗୀ ନଦୀରେ ନିର୍ମାଣାଧିନ ସେତୁର ଛାତ ପଡିବା ବେଳେ ଛାତ ଭୁଶୁଡ଼ିପଡିଛି । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ୬ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତକ ଜଣକ ହେଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ମାଳି (୪୫) । ଗୁରୁତର ମାନେ ହେଲେ ପ୍ରକାଶ କାଣ୍ଡି (୫୦), ରମେଶ ଭୋଇ (୫୦) ଓ ସନ୍ତୋଷ ଭୋଇ (୨୮)। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଉମରକୋଟ ପୋଲିସ । ନିମ୍ନମାନର କାମ ଯୋଗୁ ନିର୍ମାଣାଧୀନ ପୋଲ ଭୁଶୁଡ଼ିଥିବା ଅଭିଯୋଗ ହୋଇଛି ।
ଏ ଘଟଣା ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ଏନେଇ ସେ ଆଲୋଚନା କରିଛନ୍ତି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯେ, ନାଗୀ ନଦୀ ଉପରେ ସେତୁ ନିର୍ମାଣ ଚାଲିଥିଲା। ସେତୁର ଛାତ ପକାଇବା ପାଇଁ ଆଜି କାମ ଚାଲିଥିଲା। ସନ୍ଧ୍ୟା ସମୟରେ ଏଠାରେ ଦିଆଯାଇଥିବା ଲୁହା ଭାରା ଦବିଯାଇଥିଲା। ଫଳରେ ଦୁର୍ଘଟଣା ଘଟିଥିଲା। ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳର ମହେନ୍ଦ୍ର ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାର ପ୍ରକାଶ କାଣ୍ଡି, ରମେଶ ଭୋଇ ଓ ସନ୍ତୋଷ ଭୋଇ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେମାନଙ୍କୁ ନବରଂଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ୩ ଜଣ ଶ୍ରମିକ ଭାବେ କାମ କରୁଥିଲେ ଏବଂ ସେମାନଙ୍କର ମୁଣ୍ଡ ଓ ମେରୁଦଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି ।
28total visits,1visits today