ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ଫ୍ରଣ୍ଟ୍ ଲାଇନ୍ କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଦେଶବ୍ୟାପୀ ଏମାନଙ୍କ ସଂଖ୍ୟା ୩ କୋଟି ବୋଲି ଆକଳନ କରାଯାଇଛି। ଏହା ପରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏହି ଟିକା ଦିଆଯିବ। ଯାହାର ସଂଖ୍ୟା ପ୍ରାୟ ୨୭ କୋଟି ହେବ ବୋଲି ଆକଳନ କରାଯାଇଛି। ସର୍ବମୋଟ ୩୦ କୋଟି ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏନେଇ କେନ୍ଦ୍ରସରକାର ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଲୋହ୍ରୀ, ମକର ସଙ୍କ୍ରାନ୍ତି, ପୋଙ୍ଗଲ୍, ମାଘ ବିହୁ ପର୍ବକୁ ଦୃଷ୍ଟିରେ ରଖି କୋଭିଡ-୧୯ ଟିକାକରଣ ଜାନୁଆରୀ ୧୬ରୁ ଆରମ୍ଭ ହେବ ବୋଲି ଏକ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି। ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଟିକା ଭାବରେ ନ୍ୟାସନାଲ ରେଗୁଲେଟର ପକ୍ଷରୁ ଦୁଇଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ ପ୍ରଦାନ କରାଯାଇଛି। ଏହି ଟିକାକରଣ ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ସରକାରଙ୍କ ସହଯୋଗରେ କେନ୍ଦ୍ରର ପ୍ରସ୍ତୁତି ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ଟିକାକରଣକୁ ସୂଚାରୁ ରୁପେ ତୁଲାଇବା ପାଇଁ ନିକଟରେ ଦେଶର ସମସ୍ତ ରାଜ୍ୟରେ ଡ୍ରାଏ ରନ୍ ଚାଲିଥିଲା। ଓଡ଼ିଶାର ୩୦ ଜିଲ୍ଲାରେ ମଧ୍ୟ ଡ୍ରାଏ ରନ୍ ହୋଇଛି। ଟିକାକରଣ କେନ୍ଦ୍ରରେ ୩ କକ୍ଷ ରହିବ। ପ୍ରଥମ କକ୍ଷରେ ଟିକା ନେବାକୁ ଆସିଥିବା ବ୍ୟକ୍ତି ଅପେକ୍ଷା କରିବେ। ସେଠାରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟ କକ୍ଷରେ ଟିକା ଦିଆଯିବ। ତୃତୀୟ କକ୍ଷରେ ଟିକା ନେଇଥିବା ବ୍ୟକ୍ତି ୩୦ ମିନଟ ପର୍ଯ୍ୟନ୍ତ ଅପେକ୍ଷା କରିବେ। ସେଠାରେ ତାଙ୍କ ଉପରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଟିକାର ପ୍ରତିକ୍ରିୟା ଉପରେ ନଜର ରଖିବେ।
38total visits,2visits today