ଦେଶର ସବୁଠାରୁ ବଡ଼ ଆଇଟି କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସେସ୍ (TCS)ର ପ୍ରତିଷ୍ଠାତା ଓ ତା’ର ପ୍ରଥମ ସିଇଓ ଫକୀର ଚାନ୍ଦ କୋହଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ତାଙ୍କୁ ଭାରତୀୟ ସଫ୍ଟୱେର ଇଣ୍ଡଷ୍ଟ୍ରୀର ଜନକ ବୋଲି ମଧ୍ୟ କୁହାଯାଏ।
ସୂଚନାଯୋଗ୍ୟ, କୋହଲି ୧୯୨୪ ମାର୍ଚ୍ଚ ୧୯ରେ ପାକିସ୍ତାନର ପେଶଓ୍ବାରେ ଜନ୍ମଗ୍ରହଣ କରିଥିଲେ । କୋହଲି MIT (Massachusetts Institute of Technology) ରୁ ମାଷ୍ଟର ଡିଗ୍ରୀ ଶେଷ କରିବା ପରେ ୧୯୫୧ରେ ଟାଟା ଇଲେକ୍ଟ୍ରିକ କୋରେ ଯୋଗ ଦେଇଥିଲେ । ଏହାପରେ ଦେଶର ପ୍ରଥମ ଲୋଡ ଡେସପାଚ୍ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ୧୯୬୯ ମସିହାରେ ଟାଟା ଇଲେକ୍ଟ୍ରିକ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ଥିବା ବିଦ୍ୟୁତ ଲାଇନକୁ ନିୟନ୍ତ୍ରଣ କରିବା ପାଇଁ ଏକ କମ୍ପ୍ୟୁଟର ସିଷ୍ଟମ ସ୍ଥାପନ କରିବା ପରେ ଟାଟା ଗ୍ରୁପ ଡୋଏନ ଜେ.ଆର.ଡି ଟାଟା କୋହଲିଙ୍କୁ TCS ସ୍ଥାପନ କରିବାକୁ କହିଥିଲେ।
୧୯୯୧ରେ ଆଇବିଏମକୁ ଟାଟା-ଆଇବିଏମର ଅଂଶବିଶେଷ ଭାବେ ଭାରତ ଆଣିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ବହନ କରିଥିଲେ। ଏହା ଭାରତରେ ହାର୍ଡୱେର୍ ଉତ୍ପାଦନ ପାଇଁ ମିଳିତ ଉଦ୍ୟମର ଅଂଶ ଥିଲା। ସେ ଟିସିଏସର ପ୍ରଥମ ସିଇଓ ଭାବେ ଦେଶକୁ ୧୦୦ ବିଲିୟନ ଡଲାରର ଆଇଟି ଇଣ୍ଡଷ୍ଟ୍ରୀର ନିର୍ମାଣ କରିବାରେ ସହାୟତା କରିଥିଲେ।
85total visits,1visits today