ସାଧାରଣ, ଅସହାୟ ଲୋକଙ୍କ ନାଁରେ ବାରମ୍ବାର ଜିଏସଟି ଠକେଇ ଅଭିଯୋଗ ଆସୁଛି । କୋଟି କୋଟି ଟଙ୍କା ଠକେଇ କରିଛନ୍ତି ବୋଲି ଜଣାପଡିବା ପରେ ଏହା ପଛରେ ବଡଧରଣର ର୍ୟାକେଟ ଚାଲିଥିବା ଜଣାପଡୁଛି । ଇତିମଧ୍ୟରେ ପୁଣି ଜଣେ ଚାଷୀଙ୍କ ନାଁରେ ଜିଏସ୍ଟି ଠକେଇ ଅଭିଯୋଗ ଆସିଛି । ସେ କୁଆଡେ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଛନ୍ତି । ଚାଷୀ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାଲେପାଲି ଗାଁର ନବୀନ ବାଘ । ଏଥିରେ ସମନ ଜାରି କରି ଖୋଲ ତାଳ କରୁଛି ଜିଏସଟି ବିଭାଗ ।
ନବୀନଙ୍କ ସମ୍ପତ୍ତି କହିଲେ କେବଳ ଗୋଟିଏ ଏକର ଚାଷଜମି । ଚାଷ କାର୍ଯ୍ୟ ବାହାରେ ନବୀନ ରାଜ ମିସ୍ତ୍ରୀ ଭାବରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ୧୦ କୋଟି ଟଙ୍କାର ଅଭିଯୋଗ ଆସିଲା ପରେ ନବୀନଙ୍କ ନିଦ ହଜି ଯାଇଛି । ପରିବାରରେ ଏବେ ଖିଆପିଆ ସବୁକିଛି ବନ୍ଦ ହୋଇଯାଇଛି । ଏବେ ନବୀନଙ୍କ ପରିବାରରେ ଲୁହ ଝରାଉଛନ୍ତି ।
ନବୀନଙ୍କ କହିବାନୁଯାୟୀ, ଋଣ କରିବା ପାଇଁ ୮ ମାସ ତଳେ ସେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍ ସହ ସମସ୍ତ କାଗଜ ପତ୍ର ଦେଇଥିଲେ । ତା ପରେ ସାଲେପାଲି ଗାଁରେ ତାଙ୍କ ନାଁରେ ‘ବାଗ୍ ଏଣ୍ଡ ବାଗ୍’ ନାଁରେ ଏକ କଂପାନୀ ଚାଲୁଛି ବୋଲି ଭବାନୀପାଟଣା ଜିଏସ୍ଟି ଅଫିସ ଜାଣିବାକୁ ପାଇଥିଲା । ଏହାପରେ ଜିଏସ୍ଟି ଅଧିକାରୀମାନେ ଆସି ଚଢ଼ଉ କରିବା ସହ ନବୀନଙ୍କୁ ସମନ କରିଥିଲେ । ଘଟଣା ସମ୍ପର୍କରେ ନବୀନ ରାମପୁର ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ନବୀନ ଗୋଟିଏ ଏକର ଜମିରେ ଚାଷ ସହ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଛନ୍ତି । ହେଲେ ତାଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ଆସିବା ପରେ ପରିବାରରେ ଭାଳେଣି ପଡ଼ିଯାଇଛି ।
ଏ ନେଇ ଭବାନୀପାଟଣା ଜିଏସଟି ବିଭାଗର ଅଧିକାରୀମାନେ ନବୀନଙ୍କ ଘରକୁ ଆସି ଖୋଳତାଡ କରିବା ପରେ ଜାଣିବାକୁ ପାଇଥିଲେ ଏଠାରେ କୌଣସି ବାଗ ଏଣ୍ଡ ବାଗ କମ୍ପାନୀ ଚାଲୁନାହିଁ । ତେବେ ଜିଏସଟି ଠକେଇ କରୁଥିବାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଜିଏସଟି ବିଭାଗ ଖୋଳତାଡ କରୁଛି ।
68total visits,1visits today